ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

Top Storise ରାଜ୍ୟ

କଟକ: ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଓ ଯାଞ୍ଚ ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କାର୍ଯ୍ୟକାରୀ କରିବା ନେଇ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ। ଏଭଳି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ସରକାର ନିର୍ଦ୍ଧାରିତ କରି‍ଥିବା ସମୟସୀମାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଜବାବ ଦେବାକୁ କହିଛନ୍ତି। ଆବଶ୍ୟକୀୟ ଭିତ୍ତଭୂମି ବିନା ଏହାକୁ ଲାଗୁ କରିବା କେତେ ଦୂର ଠିକ୍, ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ଏହାର ଅନ୍ୟ କ’ଣ ବିକଳ୍ପ ରହିଛି, ସେ ନେଇ ସରକାରଙ୍କ ଠାରୁ ଜବାବ ଲୋଡ଼ିଛନ୍ତି ହାଇକୋର୍ଟ। ସରକାରୀ ଓକିଲଙ୍କୁ ଏ ବାବଦରେ ତଥ୍ୟ ଦେବାକୁ ହାଇକୋର୍ଟ କହିଛନ୍ତି।

ଏଥିସହ ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଡେଡ୍ ଲାଇନକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନଥିବା କାରଣରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। ତେବେ ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୩୦ ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ଦାୟର ଦୁଇଟି ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ଜଣ ବସ୍ ମାଲିକ।

ଆବେଦନକାରୀଙ୍କ ଓକିଲ କାଜଲ ସାହୁ କହିଛନ୍ତି, ଭିତ୍ତିଭୂମି ନଥିବା ଓ ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ଦେଲ ବୋଲି କୋର୍ଟ ପଚାରିଛନ୍ତି। ତା’ଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ। ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି, ଅକ୍ଟୋବର ପହିଲାରୁ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ଚେକିଂ କଡାକଡି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ନେଇଛି। ଯାହାକୁ ବିଭିନ୍ନ ମହଲରୁ ପ୍ରତିବାଦ କରାଯାଇଛି। କାରଣ କେଉଁଠି ସ୍ଲଟ୍ ବୁକିଂ ହୋଇପାରୁନି ତ ଆଉ କେଉଁଠି ନେଟ୍ଓ୍ୱର୍କ ସମସ୍ୟା। ହାତରେ ଆଉ ମାତ୍ର ୨ ଦିନ ଥିବାରୁ, ଏଭଳି ପରିସ୍ଥିତିରେ କିଭଳି ନୂଆ ନମ୍ବର ପ୍ଲେଟ ଆବେଦନ କରିବେ, ସେ ଚିନ୍ତାରେ ଗ୍ରାହକ।

ଆସନ୍ତା ୩୦ ତାରିଖରେ ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି ଶେଷ ହେଉଛି। ଏହାପରେ କଡ଼ାକଡ଼ି ଯାଞ୍ଚ କରାଯାଇ ଫାଇନ୍ ଆଦାୟ ହେବ ବୋଲି ପୂର୍ବରୁ ପରିବହନ ବିଭାଗ ସ୍ପଷ୍ଟ କରିସାରିଛି। ତେବେ ନୂଆ ନମ୍ବର ପ୍ଳେଟ୍ ଲଗାଇ ନ ଥିଲେ ମଧ୍ୟ ଏଥିପାଇଁ ସ୍ଳଟ୍ ବୁକ୍ କରିଥିଲେ ଫାଇନ୍ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *