କେବେ ଚାହା କେବଳ ଥକାପଣ ଦୂର କରିବାର ଏକ ଉପାୟ ଥିଲା, କିନ୍ତୁ ଏବେ ଚାହା ସ୍ୱାସ୍ଥ୍ୟର ମଧ୍ୟ ଏକ ଅଂଶ ହୋଇଗଲାଣି। ବଦଳୁଥିବା ଦୈନନ୍ଦିନ ଜୀବନଶୈଳୀ ଓ ବଢୁଥିବା ଚାପ ମଧ୍ୟରେ ଆଜି ଲୋକମାନେ ପୂର୍ବାପେକ୍ଷା ଅଧିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇଛନ୍ତି। ଏହି ସ୍ୱାସ୍ଥ୍ୟକର ପରିବର୍ତ୍ତନର ଏକ ବଡ ଅଂଶ ହେଉଛି ‘ଗ୍ରୀନ ଟି’, ଯାହା ଏବେ ଭାରତୀୟ ରୋଷେଇ ଘରେ ମଧ୍ୟ ନିଜର ସ୍ଥାନ ତିଆରି କରିଛି।
ଗ୍ରୀନ ଟିର ପତ୍ରରେ ଏପରି ଗୁଣ ରହିଛି ଯାହା ଶରୀରକୁ ଡିଟକ୍ସ କରେ ଓ ଅନେକ ରୋଗ ସହ ଲଢିବାରେ ସାହାଯ୍ୟ କରେ। ଗ୍ରୀନ ଟୀକୁ ବୈଜ୍ଞାନିକ ଭାଷାରେ କାମେଲିଆ ସାଇନେନସିସ କୁହାଯାଏ। ଏଥିରେ ଦୁଧ କିମ୍ବା ଚିନି ମିଶାଯାଏ ନାହିଁ ଓ ଏହାର ସ୍ୱାଦ ସାମାନ୍ୟ ତିକ୍ତ ହୋଇଥାଏ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ।
ବୈଜ୍ଞାନିକମାନଙ୍କ ଗବେଷଣା ଅନୁଯାୟୀ, ଗ୍ରୀନ ଟିରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ସଫା କରେ। ଏହା ହୃଦ୍ରୋଗର ଆଶଙ୍କା କମାଇଥାଏ, ଓଜନକୁ ନିୟନ୍ତ୍ରଣରେ ରଖିଥାଏ ଓ ପାଚନ ତନ୍ତ୍ରକୁ ମଧ୍ୟ ଭଲ ରଖିଥାଏ।
ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ଏହା ବୃହତ ଅନ୍ତନଳୀର ପ୍ରଦାହ, ମଧୁମେହ ଓ ମଦ୍ୟପାନର କ୍ଷତିକୁ ମଧ୍ୟ କମାଇବାରେ ସାହାଯ୍ୟ କରିପାରେ।ଦିନକୁ ଗୋଟିଏରୁ ତିନି କପ ଗ୍ରୀନ ଟି ପିଇବା ଲାଭଦାୟକ ବୋଲି ବିବେଚନା କରାଯାଏ।
ଏହାକୁ ତିଆରି କରିବା ପାଇଁ ଗୋଟିଏ ଟି ବ୍ୟାଗ କିମ୍ବା ୨-୪ ଗ୍ରାମ ଗ୍ରୀନ ଟିକୁ ଗରମ ପାଣିରେ ୧-୨ ମିନିଟ ପାଇଁ ଡୁବାଇ ରଖାଯାଏ। ଅଧିକ ସମୟ ଧରି ଏହାକୁ ଫୁଟାଇଲେ ଏହାର ସ୍ୱାଦ ତିକ୍ତ ହୋଇପାରେ ଓ ଏହାର ଗୁଣ ମଧ୍ୟ କମିଯାଇପାରେ। କେହି କେହି ଏଥିରେ ଅଦା, ତୁଳସୀ, ଦାରୁଚିନି କିମ୍ବା ଏଲାଇଚି ମଧ୍ୟ ମିଶାନ୍ତି, ଯାହା ଏହାର ସ୍ୱାଦ ଓ ପ୍ରଭାବ ଦୁହେଁ ବଢାଇଥାଏ।

