ରାୟଗଡ଼ା : ସିଆରପିଏଫ ଯବାନଙ୍କ ସଫଳତା । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖା ଯାଇଥିବା ଜଣାପଡିଥିଲା । ଖବର ପାଇ ସନ୍ଧାନୀ କୁକୁର ସହାୟତାରେ ଏସବୁ ମାଓ ସାମଗ୍ରୀକୁ ଜବତ କରିଛନ୍ତି ସିଆରପିଏଫ ଯବାନ ।
ମାଓ ବ୍ୟାନର ସହିତ ୨ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକର୍ଡ, ଗୋଟିଏ ରିମୋଟ, ଫ୍ଲାଶ, ୩ଟି ଷ୍ଟିଲ ଟିଫିନ ବୋମା, ୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ, ୩ଟି କଲର ଟେପ, ୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା, ୨ଟି ବ୍ୟାଟେରୀ, ୧୩ଟି ଖୋକା, ୧୦ ମିଟର ତାର ଜବତ କରାଯାଇଛି । ମାଓ ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ସପ୍ତାହ ପାଳନ କରନ୍ତୁ ବୋଲି ଲେଖା ରହିଛି । ଅନ୍ୟାୟ ଓ ଦୁର୍ନୀତିକୁ ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁ ମଜୁମଦାର, କହ୍ନେଇ ଚାଟାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ସହ ସିପିଆଇ ମାଓବାଦୀ ବା-ଘୁ-ନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରିଛନ୍ତି ।
ଆଗକୁ କ୍ରାନ୍ତିଦିବସରେ ମାଓବାଦୀ ମାନେ ଏକ ବଡ ଅଘଟଣ କରିବା ଯୋଜନା ରଖିଥିବା ଅନୁମାନ କରାଯାଉଛି । କିନ୍ତୁ ସିଆରପିଏଫ ଯବାନମାନେ ଏହାକୁ ଭଣ୍ଡୁର କରି ଦେଇଛନ୍ତି ।