ବୁର୍ଖା ପିନ୍ଧିବାକୁ ମନା କରିବାରୁ ପତ୍ନୀଙ୍କୁ ମାରିଦେଲା ସ୍ୱାମୀ

Top Storise ଦେଶ- ବିଦେଶ

ମୁମ୍ବାଇ: ବୁର୍ଖା ପିନ୍ଧିବା ସହ ଇସଲାମର ନୀତି ନୟମ ପାଳନ କରିବାକୁ ମନା କରିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ପତ୍ନୀ ହିନ୍ଦୁ ହୋଇଥିବା ବେଳେ ସେ ଜଣେ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହ ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କୁ ଇସଲାମ ଧର୍ମର ଅନୁପାଳନ କରିବାକୁ କହୁଥିଲେ। ଏଥିରେ ରାଜି ନ ହେବାରୁ ସେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ତିଲକ ନଗରରେ ଘଟିଥିବା ବେଳେ ପୁଲିସ୍ ମୁମ୍ବାଇର ଇକବାଲ ମହମ୍ମଦ ଶେଖଙ୍କୁ ଗିରଫ କରିଛି।

ଘଟଣା ସମ୍ପର୍କରେ ପୁଲିସକୁ ପୀଡ଼ିତାଙ୍କ ପରିବାର ଲୋକ ଖବର ଦେଇଥିଲେ। ଏହାପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ସକ୍ଷମ ହୋଇଛି। ପୀଡ଼ିତା ରୂପାଲି ୩ ବର୍ଷ ତଳେ ଇକବାଲ ମହମ୍ମଦ ଶେଖଙ୍କୁ ବିବାହ କରିଥିଲେ। ବାହାଘର ପରଠାରୁ ଇକବାଲଙ୍କ ପରିବାର ଲୋକ ରୂପାଲିଙ୍କୁ ଇସଲାମ ଧର୍ମ ପାଳନ କରିବାକୁ ଚାପ ପକାଇ ଚାଲିଥିଲେ। ଏଥିସହ ସେମାନେ ତାଙ୍କୁ ବୁର୍ଖା ପିନ୍ଧିବାକୁ ମଧ୍ୟ କହୁଥିଲେ। ଏ ସମ୍ପର୍କରେ ସେ ଇକବାଲଙ୍କୁ କହିଥିଲେ ବି ସେ କିଛି ଶୁଣି ନଥିଲେ। ଶେଷରେ ୨୨ ବର୍ଷୀୟ ରୂପାଲି ଇକବାଲଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ଆରମ୍ଭ କରିଥିଲେ।

ତେବେ ସୋମବାର ସନ୍ଧ୍ୟାରେ ଇକବାଲ ଓ ରୂପାଲି ପରସ୍ପରକୁ ଭେଟିଥିଲେ। ରୂପାଲି ଏହି ସମୟରେ ଇକବାଲଙ୍କ ଠାରୁ ଛାଡ଼ପତ୍ର ଦାବି କରିଥିଲେ। କିନ୍ତୁ ସେ ଏଥିରେ ରାଜି ହୋଇ ନଥିଲେ। ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବାରୁ ଇକବାଲ ପତ୍ନୀ ରୂପାଲିଙ୍କୁ ବୁଝାଇଥିଲେ। ହେଲେ ରୂପାଲି ଛାଡ଼ପତ୍ର ଜିଦରେ ଅଟଳ ରହିଥିଲେ। ଯେତେବେଳେ ଇକବାଲ ପୁଅର କଷ୍ଟଡି ପାଇଁ ଦାବି କରିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ଇକବାଲ ପତ୍ନୀ ରୂପାଲିଙ୍କ ତଣ୍ଟି କାଟି ସେଠାରୁ ଫେରାର ହୋଇଯାଇଥିଲେ।

ତିଲକ ନଗର ପୁଲିସ୍ ଷ୍ଟେସନର ଇନସପେକ୍ଟର ବିଲାସ ରାଥୋଡ କହିଛନ୍ତି, ସୋମବାର ରାତି ପ୍ରାୟ ୧୦ଟା ବେଳେ ଇକବାଲ ମହମ୍ମଦ ଶେଖ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପତ୍ନୀଙ୍କ ହାତରେ ମଧ୍ୟ କଟା ଦାଗ ରହିଛି। ଇସଲାମ ଧର୍ମ ପାଳନ କରିବା ସହ ଅଭିଯୁକ୍ତର ପରିବାର ଲୋକ ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ କହୁଥିଲେ। କିନ୍ତୁ ଏଥିରେ ରାଜି ନ ହେବାରୁ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିଲା। ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ହୋଇଛି ଓ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *