ଭୁବନେଶ୍ୱର: ଆସନ୍ତାବର୍ଷ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଦଳମାନେ ଅଧିକ ସିଟ୍ ଅକ୍ତିଆର କରିବା ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏପରିକି ବିଜେଡି, ବିଜେପି ଓ କଂଗ୍ରେସ ନିକଟରେ ନିଜ ସଂଗଠନକୁ ସଜାଡ଼ିବା ସହ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ରାଜ୍ୟର କିଛି ଜିଲ୍ଲାରେ ଇଭିଏମ୍ ମେଶିନ୍ ପହଞ୍ଚିଥିବାର ଦେଖାଯାଉଛି । ତେଣୁ ରାଜ୍ୟରେ ଆଗୁଆ ନିର୍ବାଚନ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ବୋଲି ଅତୀତରେ କିଛି ତୁଙ୍ଗ ରାଜନେତା ମତବ୍ୟକ୍ତ କରିସାରିଛନ୍ତି ।
ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ବିଜେପିର ଅନ୍ୟତମ ଚେହେରା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ଏଥର ଓଡ଼ିଶାରୁ ଲଢ଼ିବା ନେଇ ସେ ସ୍ପଷ୍ଟ କରିଛନ୍ତି । ଧର୍ମେନ୍ଦ୍ର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ସେ ସମ୍ବଲପୁର ଉପରେ ଅଧିକ ଫୋକସ କରୁଥିବା ନେଇ ଗତ ମାସରେ କିଛି ମିଡ଼ିଆରେ ଖବର ପ୍ରସାରଣ ହୋଇଥିଲା । ଏପରିକି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ସାଂସଦ ନିତେଶ ଗଙ୍ଗଦେବଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ସମ୍ବଲପୁର ଆସନରୁ ଲଢ଼ିବା ନେଇ ଆଗ୍ରହ ପ୍ରକାଶ କରିଥିବା ନେଇ ମଧ୍ୟ କୁହାଯାଉଥିଲା । ଏବିଭିପିରେ ସକ୍ରିୟ ଥିବା ସମୟରେ ଧର୍ମେନ୍ଦ୍ର ସମ୍ବଲପୁରରେ ଅନେକ ବର୍ଷ ବିତାଇଥିବାରୁ ସେହି ମାଟି ସହିତ ସେ ତାଙ୍କର ବେଶ୍ ଭଲ ସମ୍ପର୍କ ରହିଛି ।
ତେବେ ୨୦୨୪ ଲୋକସଭା ନିର୍ବାଚନରେ ଧର୍ମେନ୍ଦ୍ର ଓଡ଼ିଶାର କୌଣସି ଏକ ଆସନରୁ ଲଢ଼ିବେ ବୋଲି ସେ ନିକଟରେ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାତ୍ର କେଉଁଠାରୁ ଲଢ଼ିବେ ସେ ନେଇ ଦଳ ନିଷ୍ପତ୍ତି ନେବ । ଦଳ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇଥିବାରୁ ସେ ଦଳ ପାଇଁ ଚିର କୃତଜ୍ଞ ବୋଲି କହିଛନ୍ତି । ୨୦୦୦ ମସିହାରେ ଧର୍ମେନ୍ଦ୍ର ପାଲଲହଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ସେ ଦେବଗଡ଼ ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ଏହାପରେ ସେ ୨୦୧୨ରେ ବିହାରରୁ ଓ ୨୦୧୮ରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ । ତେଣୁ ଏଥର ଶ୍ରୀ ପ୍ରଧାନ ଓଡ଼ିଶାରୁ ଲଢ଼ିବେ ବୋଲି ମତବ୍ୟକ୍ତ କରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।