ବଲାଙ୍ଗୀର: କରୋନାକୁ ନେଇ ସାରା ବିଶ୍ୱ ଏବେ କୋକୁଆ ଭୟରେ । ହୁତୁହୁତୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭାକ୍ସିନ୍ ପାଇଁ ଚାରିଆଡେ ଲାଗୁଛି ଭିଡ । ଏପରି ସ୍ଥିତିରେ ବି କିଛି ଅସାଧୁ ଲୋକ ମୁନାଫା ହାସଲ କରିବାକୁ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉନାହାନ୍ତି । ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଘଟଣା ।

ପାଥକାଇଣ୍ଡ ନାମକ ଏକ ପାଥୋଲାବ ଦୀର୍ଘ ଦିନ ଧରି ବେଆଇନ ଭାବେ କୋଭିଡ ପରୀକ୍ଷଣ କରିଆସୁଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁଯାୟୀ ଏହି ଲାବରେ ଟେଷ୍ଟ ପାଇଁ ପ୍ରତ୍ୟେକ ଲୋକଙ୍କଠାରୁ ୨୦୦ ଟଙ୍କା ଆଦାୟ ହେଉଥିଲା । ଏହି ଗୋରଖ ଧନ୍ଦାର ଟେର ପାଇବା ପରେ ବଲାଙ୍ଗୀର ଏସ୍.ପିଙ୍କ ନିର୍ଦ୍ଦେଶରେ ଟାଉନ୍ ଥାନା ପୋଲିସ ଏହି ଲାବ୍କୁ ସିଲ୍ କରିଛି ।
ଲାଇସେନ୍ସ, କେଉଁଭଳି ସ୍ଥିତିରେ ଓ କାହା ଛତ୍ରଛାୟା ତଳେ ରହି ଏହି ଲାବ କୋଭିଡ ପରୀକ୍ଷଣ କରୁଥଲା, ସେ ନେଇ ପୋଲିସ ତଦନ୍ତ ଚଳାଇଛି । ବଲାଙ୍ଗୀରରେ କେବଳ ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ କୋଭିଡ ପରୀକ୍ଷଣ ପାଇଁ ଅନୁମତି ରହିଛି । ଏପରି ସ୍ଥିତିରେ ଏହି ଲାବ୍ କିପରି ବେଆଇନ ଭାବେ ପରୀକ୍ଷଣ କରଲ୍ଲା, ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।