ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ହୋଇଛି। ଦ୍ରୌପଦୀ ମୁର୍ମୁଙ୍କ ପାଇଁ କଂଗ୍ରେସର ଅନେକ ବିଧାୟକ, ସମାଜବାଦୀ ପାର୍ଟି (ଏସପି) ଏବଂ ଏନସିପି କ୍ରସ୍ ଭୋଟିଂ କରିଥିବା ସୂଚନା ରହିଛି।
ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ, ଗୁଜରାଟର ଏନସିପି ଏବଂ ଓଡିଶା ଏବଂ ଆସାମରେ କଂଗ୍ରେସ ପକ୍ଷରୁ କ୍ରସ-ଭୋଟିଂ ରିପୋର୍ଟ ହୋଇଥିବା ସୂଚନା ରହିଛି।
ଓଡ଼ିଶା
ଓଡିଶାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ ସେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ସେ ତାଙ୍କ ବିବେକ ଅନୁସରଣ କରି ଭୋଟ୍ ଦେଇଛନ୍ତି। ଯାହା ତାଙ୍କ ମନ କହିଲା ସେ ତାହା କରିଛନ୍ତି। ତେଣୁ ସେ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ବୋଲି କହିଛନ୍ତି । କଂଗ୍ରେସ କିନ୍ତୁ ମିଳିତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛି।
ପଶ୍ଚିମବଙ୍ଗ
ଟିଏମସିରୁ ଇସ୍ତଫା ଦେଇ ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଯଶଓ୍ୱନ୍ତ ସିହ୍ନା। କିନ୍ତୁ ପଶ୍ଚିମବଙ୍ଗରେ ତାଙ୍କର ପୂର୍ବତନ ଦଳ ତଥା ଶାସକ ଦଳ ଟିଏମସିରୁ ୧୨ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଥିବା ସୂଚନା ରହିଛି। ଇଂରାଜୀ ନ୍ୟୁଜ ଚ୍ୟାନେଲ ‘ରିପବ୍ଲିକ ଟିଭି’ ଏପରି ଏକ ରିପୋର୍ଟ ପ୍ରକାଶ କରିଛି।
ଉତ୍ତରପ୍ରଦେଶ
ବରେଲିର ଭୋଜିପୁରାର ସମାଜବାଦୀ ପାର୍ଟି ବିଧାୟକ ଶାହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବାବେଳେ ତାଙ୍କ ଦଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି।
ଗୁଜୁରାଟ
ଗୁଜୁରାଟରେ ଶରଦ ପାୱାରଙ୍କ ପାର୍ଟି ଏନସିପିର ଜଣେ ବିଧାୟକ ଏସ ଜାଡେଜା କହିଛନ୍ତି ଯେ ସେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି।
ଆସାମ
ଆସାମରେ କଂଗ୍ରେସ ବିଧାୟକମାନେ କ୍ରସ୍ ଭୋଟିଂ କରିଛନ୍ତି ବୋଲି ଏଆଇୟୁଡିଏଫ ବିଧାୟକ କରିମୁଦ୍ଦିନ ବାର୍ବୁୟା ଦାବି କରିଛନ୍ତି। ରବିବାର କଂଗ୍ରେସ ଏକ ବୈଠକ ଡାକିଥିଲା ଯେଉଁଥିରେ ମାତ୍ର ୨-୩ ବିଧାୟକ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେଠାରେ କେବଳ ଜିଲ୍ଲା ସଭାପତି ଉପସ୍ଥିତ ଥିଲେ ବୋଲି କରିମୁଦ୍ଦିନ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ୨୦ରୁ ଅଧିକ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି।