ଅଗଷ୍ଟ ୭ ତାରିଖ । ପୋଲିସକୁ ପ୍ରଥମେ ଏକ ହାତ ମିଳିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କଲା । ୭ ଦିନ ଭିତରେ ମାମଲାର ସମାଧାନ କଲା ପୋଲିସ । ପ୍ରଥମେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା କରିବା କଷ୍ଟକର ଥିଲା।

୨୦ ଖଣ୍ଡ କରି କାଟିଦେଲା
ହତ୍ୟାକାରୀ ଶବକୁ ୨୦ଟି ଖଣ୍ଡ କରି କାଟି ପ୍ରତ୍ୟେକ ଅଂଶକୁ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲା। ଯେଉଁଠାରେ ଘଟଣା ଘଟିଥିଲା, ସେଠାରେ ନା ସିସିଟିଭି କ୍ୟାମେରା ଥିଲା ନା କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିଲେ ।
କୁକୁର ଖୋଲିଦେଲା
ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ୪୨ ବର୍ଷୀୟ ବି. ଲକ୍ଷ୍ମୀଦେବୀ ଓରଫ ଲକ୍ଷ୍ମୀଦେବମ୍ମାଙ୍କୁ ହତ୍ୟା କରାଯାଇଛି । ବେଙ୍ଗାଲୁରୁଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ କୋରାଟାଗେରେର ଚିମ୍ପୁଗନହଲ୍ଲୀରେ ଗତ ୭ ତାରିଖରେ ଗୋଟିଏ କୁକୁର ମଣିଷର ହାତକୁ ମୁହଁରେ ଧରି ବୁଲୁଥିବା ଦେଖାଯାଇଥିଲା।
ମୁଣ୍ଡ ମିଳିଲା ନାହିଁ
ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲା। କିନ୍ତୁ ସେଠାରେ କିଛି ମିଳିଲା ନାହିଁ। ତା’ପରେ ପୋଲିସ ସେହି ଅଞ୍ଚଳରେ ଅବଶିଷ୍ଟ ଶରୀରର ଅଂଶଗୁଡ଼ିକୁ ଖୋଜିବା ଆରମ୍ଭ କଲା। ବହୁ ତଦନ୍ତ ପରେ ୫ କିଲୋମିଟର ଅଞ୍ଚଳ ମଧ୍ୟରେ ୧୯ଟି ଅଲଗା ଅଲଗା ସ୍ଥାନରେ ମଣିଷ ଶରୀରର ଖଣ୍ଡ ମିଳିଲା, କିନ୍ତୁ ମୁଣ୍ଡ ମିଳିଲା ନାହିଁ।
ଶବ ସହ ଅଳଙ୍କାର
ଏହି ଅବଶେଷଗୁଡ଼ିକୁ ଫୋରେନସିକ ତଦନ୍ତ ପାଇଁ ପଠାଯାଇଥିଲା, ଯେଉଁଥିରେ ଜଣାପଡ଼ିଲା ଯେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ସବୁଠୁ ବଡ଼ କଥା ହେଲା ଶବ ସହିତ ଅଳଙ୍କାର ମିଳିଲା। ପୋଲିସ ନିଶ୍ଚିତ ହେଲା ଯେ ହତ୍ୟା ଲୁଟପାଟ ଉଦ୍ଦେଶ୍ୟରେ କରାଯାଇ ନଥିଲା।
୩ଅଗଷ୍ଟରୁ ନିଖୋଜ
ତଦନ୍ତରେ ଜଣାପଡ଼ିଲା ଯେ ବେଲ୍ଲାଭେ ନିବାସୀ ୪୨ ବର୍ଷୀୟ ବି. ଲକ୍ଷ୍ମୀଦେବୀ ଓରଫ ଲକ୍ଷ୍ମୀଦେବମ୍ମା ୩ ଅଗଷ୍ଟରୁ ନିଖୋଜ ଅଛନ୍ତି। ତାଙ୍କ ସ୍ୱାମୀ ବସବରାଜ ଲକ୍ଷ୍ମୀଦେବୀଙ୍କ ନିଖୋଜ ହେବା ବିଷୟରେ ରିପୋର୍ଟ ଦାଖଲ କରିଥିଲେ। ପେସାରେ ବଢ଼େଇ କାମ କରୁଥିବା ବାସବରାଜ କହିଥିଲେ ଯେ ତାଙ୍କ ପତ୍ନୀ ଶେଷ ଥର ପାଇଁ ତାଙ୍କ ଝିଅ ତେଜସ୍ୱିନୀଙ୍କ ଘର ହନୁମନ୍ତପୁରାକୁ ଯାଇଥିଲେ।
ହତ୍ୟା ଯୋଜନାବଦ୍ଧ
ଦୁଇ ଦିନ ପରେ କୋରାଟାଗେରେରେ ଏକ ନିର୍ଜନ ସ୍ଥାନରେ ମୁଣ୍ଡ ମିଳିଲା। ବାସବରାଜ ଏହାକୁ ତାଙ୍କ ପତ୍ନୀ ବୋଲି ଚିହ୍ନିଥିଲେ। କର୍ଣ୍ଣାଟକ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଅପରାଧ ସ୍ଥଳକୁ ଦେଖି ଏହା ଅନୁମାନ କରାଯାଇଥିଲା ଯେ ମହିଳାଙ୍କ ହତ୍ୟା ଯୋଜନାବଦ୍ଧ ଭାବେ କରାଯାଇଛି।
ଧଳା ରଙ୍ଗର ଏସୟୁଭି
ତୁମକୁରୁର ଏସପି ଅଶୋକ କେ.ଭି. ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଅନେକ ଟିମ୍ ଗଠନ କରିଥିଲେ। ଗୋଟିଏ ଟିମ୍କୁ ଜଣାପଡ଼ିଲା ଯେ ୩ ଅଗଷ୍ଟ ଅପରାହ୍ନରେ ଏକ ଧଳା ରଙ୍ଗର ଏସୟୁଭି ହନୁମନ୍ତପୁରା ଦେଇ ଯାଇଥିଲା। ଏହି ଗାଡ଼ି କୋରାଟାଗେରେ ଆଡ଼କୁ ଯାଇଥିଲା।
ଗାଡିର ୨ଟି ନମ୍ବର ପ୍ଲେଟ
ତଦନ୍ତରେ ଜଣାପଡ଼ିଲା ଯେ ଗାଡ଼ିର ଆଗ ଓ ପଛରେ ଅଲଗା ଅଲଗା ନମ୍ବର ପ୍ଲେଟ ଲାଗିଥିଲା। ପ୍ରାରମ୍ଭିକ ତଦନ୍ତରେ ଏହା ପୋଲିସ ପାଇଁ ଏକ ବଡ଼ ସୂତ୍ର ଥିଲା। ଗୋଟିଏ ଗାଡ଼ିରେ ଦୁଇଟି ଅଲଗା ନମ୍ବର ପ୍ଲେଟ ଲାଗିବାର ଅର୍ଥ ଥିଲା ପୋଲିସକୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରାଯାଇଛି।
ସିସିଟିଭି ଫୁଟେଜ
ତା’ପରେ ପୋଲିସ ପ୍ରକୃତ ନମ୍ବର ଓ ଗାଡ଼ି ମାଲିକଙ୍କୁ ଖୋଜିବା ଆରମ୍ଭ କଲା। ତଦନ୍ତ ଟିମ୍କୁ ସନ୍ଦେହ ଥିଲା ଯେ ଏହି ହତ୍ୟାକାଣ୍ଡ ସହ ଧଳା ରଙ୍ଗର ଏସୟୁଭିର ସମ୍ପର୍କ ନିଶ୍ଚିତ ରହିଛି। ପୋଲିସ ସେହି ଅଞ୍ଚଳରେ ଫୁଟେଜ ଖୋଜି ଜାଣିବାକୁ ପାଇଲା ଯେ ଏସୟୁଭି ଉର୍ଡିଗେରେ ଗାଁର ସତୀଶ ନାମକ ଜଣେ କୃଷକର।
ଫୋନ ରେକର୍ଡ ଯାଞ୍ଚ
ତା’ପରେ ପୋଲିସ ସତୀଶର ଫୋନ ରେକର୍ଡ ଯାଞ୍ଚ କଲା, ଯେଉଁଥିରେ ଜଣାପଡ଼ିଲା ଯେ ୩ ଅଗଷ୍ଟ ଅପରାହ୍ନରୁ ତାଙ୍କ ଫୋନ ସ୍ୱିଚ୍ ଅଫ୍ ଥିଲା। ସେହି ଦିନ ଲକ୍ଷ୍ମୀଦେବମ୍ମା ମଧ୍ୟ ନିଖୋଜ ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ କହିଥିଲେ ଯେ ସେମାନେ ୩ ଓ ୪ ଅଗଷ୍ଟରେ ସତୀଶର କ୍ଷେତରେ ଧଳା ରଙ୍ଗର ଏସୟୁଭି ଦେଖିଥିଲେ। ଏହା ସତୀଶଙ୍କୁ ଥାନାକୁ ଡକାଇବା ପାଇଁ ଯଥେଷ୍ଟ ଥିଲା, କିନ୍ତୁ ସେ ଚିକ୍କମଗଲୁରୁରେ ଥିଲା।
ମିଳିଲା ସଫଳତା
ପୋଲିସର ଏକ ଟିମ୍ ବେସରକାରୀ ଗାଡ଼ିରେ ଯାଇ ତା ସାଙ୍ଗ କିରଣ ସହ ତାକୁ ଏକ ମନ୍ଦିରରେ ଧରିଥିଲେ। ଦୁହେଁ ନିଜକୁ ନିର୍ଦ୍ଦୋଷ କହି ପୋଲିସକୁ ଭୁଲାଇବାକୁ ଚେଷ୍ଟା କରୁଥିଲେ।
ଖୋଲିଲା ରହସ୍ୟ
ଏହି ସମୟରେ ଏସୟୁଭି ମାଲିକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଅନ୍ୟ ଟିମ୍ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସହ ସାମ୍ନାକୁ ଆସିଥିଲା। ଯେଉଁ ଧଳା ରଙ୍ଗର ଏସୟୁଭି ସତୀଶଙ୍କ ନାମରେ ରେଜିଷ୍ଟର୍ଡ ଥିଲା, ତାହା ଛଅ ମାସ ପୂର୍ବେ ଡେଣ୍ଟିଷ୍ଟ ଡକ୍ଟର ରାମଚନ୍ଦ୍ରୟା ଏସ୍ କିଣିଥିଲେ।
ଜ୍ବାଇଁ ମୁଖ୍ୟ ଖଳନାୟକ
ଡେଣ୍ଟିଷ୍ଟ ରାମଚନ୍ଦ୍ରୟା ହତ୍ୟା ହୋଇଥିବା ଲକ୍ଷ୍ମୀଦେବମ୍ମାଙ୍କ ଜ୍ୱାଇଁ ଥିଲେ। ଫୋରେନସିକ ତଦନ୍ତରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଥିଲା ଯେ ମହିଳାଙ୍କ ଶରୀରର ଖଣ୍ଡଗୁଡ଼ିକ ପେସାଦାରୀ ଢଙ୍ଗରେ କରାଯାଇଥିଲା। ଜ୍ୱାଇଁ ରାମଚନ୍ଦ୍ରୟା ଉପରେ ସନ୍ଦେହ ବଢ଼ିଥିଲା ।
ଡରରେ ମାନିଗଲେ
ପୋଲିସ ରାମଚନ୍ଦ୍ରୟାଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲା, ଯେଉଁଠାରେ ତାଙ୍କୁ ଆଶ୍ଚର୍ଯ୍ୟ କରାଇ ସତୀଶ ଓ କିରଣଙ୍କୁ ତାଙ୍କ ସାମ୍ନାରେ ବସାଇ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ସତୀଶ ସତ୍ୟ ଲୁଚାଇ ପାରିଲା ନାହିଁ ଏବଂ ସବୁ କଥା କହି ଦେଲା। ତା’ପରେ ରାମଚନ୍ଦ୍ରୟା ମଧ୍ୟ ସତ କହିଲା।
୪ଲକ୍ଷର ସୁପାରି
ସେ କହିଲା ଯେ ୩ ଅଗଷ୍ଟରେ ସେ ତା ଶାଶୂ ଲକ୍ଷ୍ମୀଦେବମ୍ମାଙ୍କୁ ଘରେ ଛାଡ଼ିବା ବାହାନାରେ ଏସୟୁଭିରେ ଲିଫ୍ଟ ଦେଇଥିଲେ। ଏହି ଗାଡ଼ିରେ ପୂର୍ବରୁ କିରଣ ଓ ସତୀଶ ବସିଥିଲେ। ରାମଚନ୍ଦ୍ରୟା ସେମାନଙ୍କୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଏବଂ ଆଗୁଆ ୫୦ ହଜାର ଟଙ୍କା ଦେଇଥିଲା। ଗାଡ଼ିରେ ବସିବା ମାତ୍ରେ ସତୀଶ ଓ କିରଣ ଲକ୍ଷ୍ମୀଦେବମ୍ମାଙ୍କ ଗଳା ଚିପି ଦେଇଥିଲେ। ହତ୍ୟା ପରେ ଶବକୁ ସତୀଶର ଫାର୍ମହାଉସ କୋଲାଲାକୁ ନେଇ ଯାଇଥିଲେ। ୨୪ ଘଣ୍ଟା ପରେ ସେମାନେ ଶବକୁ ଖଣ୍ଡ କରି ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲେ।
ଶାଶୂଙ୍କ ଉପରେ ସନ୍ଦେହ
ପୋଲିସ କହିଛି ଯେ ଡକ୍ଟର ରାମଚନ୍ଦ୍ରୟା ତା ଶାଶୂଙ୍କ ଉପରେ ବିରକ୍ତ ହେଉଥିଲା। ତାକୁ ସନ୍ଦେହ ଥିଲା ଯେ ଲକ୍ଷ୍ମୀଦେବମ୍ମା ତା ଘରେ ହସ୍ତକ୍ଷେପ କରୁଛନ୍ତି। ସେ ଅଭିଯୋଗ କରିଥିଲା ଯେ ସେ ତାଙ୍କ ଝିଅ ତେଜସ୍ୱିନୀଙ୍କୁ ଭୁଲ କାମ କରିବାକୁ ଚାପ ଦେଉଥିଲେ। ତେଜସ୍ୱିନୀ ଏହି ଡେଣ୍ଟିଷ୍ଟ ରାମଚନ୍ଦ୍ରୟାଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଏବଂ ତା ଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ଥିଲେ। ସେମାନଙ୍କର ଏକ ତିନି ବର୍ଷର ପିଲା ମଧ୍ୟ ଅଛି।

ଏହି ଡାକ୍ତରକୁ ଭୟ ଥିଲା ଯେ ଲକ୍ଷ୍ମୀଦେବମ୍ମା ତାଙ୍କ ପରିବାରକୁ ନଷ୍ଟ କରି ଦେବେ, ତେଣୁ ସେ ଛଅ ମାସ ପୂର୍ବେ ହତ୍ୟା ପାଇଁ ନିଷ୍ପତ୍ତି ନେଇ ଷଡ଼ଯନ୍ତ୍ର ରଚିଥିଲା ।

