ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଜୋଧଘାଟି ଗ୍ରାମରେ ଗତରାତିରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ମଧ୍ୟ ଗତ ଗୁରୁବାର ଘଟିଥିବା ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ଆସିଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ଅଭିଯାନ ତ୍ବରାନ୍ବିତ ହୋଇଛି। ଏହି ଦୁଇଟି ଘଟଣା ରାଜ୍ୟରେ ପ୍ରବଳ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟର ଭୟାବହତାକୁ ପ୍ରତିଫଳିତ କରୁଛି।

ଜମ୍ମୁ ଡିଭିଜନାଲ କମିସନର ରମେଶ କୁମାରଙ୍କ କହିବା ଅନୁଯାୟୀ, ‘କାଠୁଆରେ ଗତରାତି ଜୋଧଘାଟିରେ ବାଦଲଫଟା ବର୍ଷା ଫଳରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇଛି। ଏହା ଯୋଗୁଁ ସାତ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସମସ୍ତଙ୍କ ଶବ ଉଦ୍ଧାର କରାଯାଇଛି।

ଏହି ବିପର୍ଯ୍ୟୟରେ ଅନେକ ସଡ଼କ, ଘର ଏବଂ ସରକାରୀ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। କେତେକ ଗାଡ଼ି ବନ୍ୟାଜନିତ ଆବର୍ଜନା ତଳେ ପୋତି ହୋଇଯାଇଛି। ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଉଛି।


