ଆପ୍‌କୁ ‘ଜାତୀୟ ଦଳ’ ଘୋଷଣା କଲେ କେଜ୍ରିୱାଲ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦମ୍ଭୋକ୍ତି ଓ ଆଶା ଅନୁଯାୟୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଗୁଜରାଟ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି ନାହିଁ। ପ୍ରଥମଥର ପାଇଁ ଗୁଜରାଟରେ ନିର୍ବାଚନ ଲଢ଼ୁଥିବା ଆପ୍‌ ୨୭ ବର୍ଷ ହେଲା କ୍ଷମତାରେ ଥିବା ବିଜେପିକୁ ଗାଦିଚ୍ୟୁତ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏହି ଯୋଜନା ସଂପୂର୍ଣ୍ଣ ଭାବେ ଫ୍ଲପ ହୋଇଛି। ଆପ୍‌ ମାତ୍ର ୫ଟି ଆସନ ଜିତି ଥିବା ବେଳେ ବିଜେପି ରେକର୍ଡ ୧୫୦ରୁ ଅଧିକ ଆସନ ଦଖଲ କରିବାକୁ ଯାଉଛି।

ତେବେ ଗୁଜରାଟରେ ଖାତା ଖୋଲିବାକୁ ଆପ୍‌ ସକ୍ଷମ ହୋଇଥିବାରୁ ଦଳର ଜାତୀୟ ଆବାହକ କେଜ୍ରିୱାଲ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଆପ୍‌କୁ ଗୋଟିଏ ଜାତୀୟ ଦଳ ଭାବେ ଘୋଷଣା କରିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନରେ ଆପର ଭୋଟ ଶେୟାର ୧୩% ରହିଥିବା ବେଳେ ଦଳ ୫ଟି ଆସନ ଜିତିଛି।

ଏପରି ପ୍ରଦର୍ଶନ ପରେ ଦେଶର ୯ମ ଜାତୀୟ ରାଜନୀତିକ ଦଳ ହୋଇଛି ଆପ୍‌। ପୂର୍ବରୁ କଂଗ୍ରେସ, ବିଜେପି, ଟିଏମସି, ଏନସିପି, ସିପିଆଇ, ସିପିଏମ, ବିଏସ୍‌ପି ଓ ଏପପିପି ଜାତୀୟ ଦଳର ମାନ୍ୟତା ପାଇଥିଲେ।

ଆପ୍‌ ଜାତୀୟ ଦଳ ହୋଇଥିବାରୁ କେଜ୍ରିୱାଲ କହିଛନ୍ତି, ଆପ୍‌ ଗୁଜରାଟ ବିଧାନସଭା ନିର୍ବାଚନରେ ଯେତିକି ଭୋଟ ପାଇଛି ଆଇନ ଅନୁସାରେ ଦଳ ଜାତୀୟ ମାନ୍ୟତା ପାଇଛି। ଦେଶରେ ଏମିତି ବହୁତ କମ ଦଳ ଅଛନ୍ତି, ଯାହାକୁ ଜାତୀୟ ମାନ୍ୟତା ମିଳିଛି। ବର୍ତ୍ତମାନ ଆପ ସେହି ହାତ ଗଣତି ଜାତୀୟ ରାଜନୀତିକ ଦଳ ମଧ୍ୟରେ ନିଜକୁ ସାମିଲ କରିପାରିଛି।

ଆପ ମାତ୍ର ୧୦ ବର୍ଷ ତଳେ ଗଠନ ହୋଇଥିଲା। ଏହି ସମୟସୀମା ମଧ୍ୟରେ ଦଳ ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିପାରିଛି। ଏବେ ଗୁଜରାଟରେ ଭୋଟ ଯୋଗୁ ଦଳ ଜାତୀୟ ମାନ୍ୟତା ପାଇଛି। ନିର୍ବାଚନ ପ୍ରଚାର ପାଇଁ ମୁଁ ଯେତେଥର ଗୁଜରାଟ ଯାଇଛି, ସେଠାରେ ବହୁତ ଭଲ ପାଇବା ଓ ସମ୍ମାନ ମିଳିଛି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଗୁଜରାଟ ହେଉଛି ବିଜେପିର ଦୁର୍ଗ। ଆମେ ସେହି ଦୁର୍ଗକୁ ଭେଦ କରି ପ୍ରାୟ ୧୩% ଭୋଟ ପାଇଛୁ। ଆମକୁ ୪୦ ଲକ୍ଷ ଭୋଟ ମିଳିଛି। ଆମ ଉପରେ ବିଶ୍ୱାସ ରଖିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ବୋଲି କେଜ୍ରିୱାଲ କହିଛନ୍ତି।

Leave a Reply

Your email address will not be published. Required fields are marked *