ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ

Top Storise ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ। ମାତ୍ର ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନୱାଡ଼ି ସାରିବା ପରେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ। ପିଲାଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପ୍ଲେ-ସ୍କୁଲ୍‍ ଢାଞ୍ଚାରେ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ତେବେ ରାଜ୍ୟରେ ବର୍ତ୍ତମାନ ମୋଟ ୬୫ ହଜାର ୨୭୯ଟି ପ୍ରାଥମିକ ସ୍କୁଲ ରହିଛି। ସେଥିରୁ ୫୦ହଜାର ୫୨୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ସାମିଲ। ରାଜ୍ୟ ସରକାର ଏହି ସ୍କୁଲଗୁଡ଼ିକରେ ଏବେ ଶିଶୁଶ୍ରେଣୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଦିଗରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲାର ୨ ହଜାର ବିଦ୍ୟାଳୟରେ ଶିଶୁଶ୍ରେଣୀ ଆରମ୍ଭ ହେବ। ତେବେ ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ସୁବିଧା ଥିବ ସମ୍ପୃକ୍ତ ସ୍କୁଲରେ ଏହି ଶିଶୁଶ୍ରେଣୀ ଖୋଲାଯିବ ନାହିଁ।

ରାଜ୍ୟ ସରକାର ପ୍ରତ୍ୟେକ ଶିଶୁଶ୍ରେଣୀ ଲାଗି ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି ସେହି ସ୍କୁଲରେ ଏହି ଯୋଜାନା କାର୍ଯ୍ୟକାରୀ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି। ଏହି ଶିଶୁଶ୍ରେଣୀ ଲାଗି ୨ଜଣ ଶିକ୍ଷକ, ଜଣେ କାଉନସେଲର ନିୟୋଜିତ ହେବେ। ଏହି ଶିଶୁଶ୍ରେଣୀରେ ନାମଲେଖା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *