ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍ । ରବିବାର ଭର୍ଚୁଆଲ୍ରେ ଅନୁଷ୍ଠିତ କିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ରାଜ୍ୟପାଳ । ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, ପ୍ରୋତ୍ସାହନ ଏବଂ ସମୟ ଭିତ୍ତିକ ପ୍ରଦର୍ଶନର ଆବଶ୍ୟକତା ରହିଛି ।
ଛାତ୍ରଛାତ୍ରୀଙ୍କୁ ଭୋକାଲ୍ ଫର୍ ଲୋକାଲ୍ ପାଇଁ ଶପଥ ନେବା ସହ ଏକ ସଫଳ ଆତ୍ମନିର୍ଭର ଭାରତ ନିର୍ମାଣରେ ସେମାନଙ୍କ ଯୋଗଦାନ ଓ ପ୍ରୟାସ ନିମନ୍ତେ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ଲାଲ୍ଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଅନ୍ୟ ତିନିଜଣ ପ୍ରତିଷ୍ଠିତ ଓଡିଆ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡି.ଲିଟ୍ ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଭାରତର ମହାଲେଖାକାର ଓ ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ, କେନିଆର ସାଂସଦ ତଥା କେନିଆ ମେଡିହିଲ୍ ହସ୍ପିଟାଲ୍ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସ୍ୱରୂପ ରଞ୍ଜନ ମିଶ୍ର ଏବଂ ନିୟୁର୍କରେ ରହୁଥିବା ବିଶିଷ୍ଟ ଫେସନ୍ ଓ କଷ୍ଟିୟୁମ୍ ଡିଜାଇନର୍ ବିଭୁ ମହାପାତ୍ର ।୧୯୯୨-୯୩ ମସିହାରେ ମାତ୍ର ୧୨୫ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ । କିସ୍ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସର୍ବାଧିକ ସିଜିପିଏ ହାସଲ୍ କରିଥିବା ଟ୍ରାଇବାଲ୍ ରିସୋର୍ସ ମ୍ୟାନେଜମେଣ୍ଟ ସ୍କୁଲ୍ର୨୦୧୯ ବ୍ୟାଚ୍ ଛାତ୍ରୀ ମଲହୋ ମାର୍ଡି ଏବଂ ସ୍କୁଲ୍ ଅଫ୍ ଇଣ୍ଡିଜନସ୍ ନଲେଜ୍, ସାଇନସ୍ ଓ ଟେକ୍ନୋଲୋଜିର ୨୦୨୦ ବ୍ୟାଚ ଛାତ୍ର ପ୍ରଶାନ୍ତ ମାଝୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସେହିପରି ୧୪ଜଣ କୃତି ଛାତ୍ରଛାତ୍ରଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୧୪ଜଣ ଛାତ୍ରଛାତ୍ରୀଙ୍କୁ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।