ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବଢ଼ିଲା, ଏବେ ବି ୨୨ ନିଖୋଜ

Top Storise ଦେଶ- ବିଦେଶ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ ସୁବିଧା ଯୋଗାଇ ଥାଏ। ଉକ୍ତ କ୍ୟାମ୍ପ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଛି। ଘଟଣା ବେଳେ ଲୋକମାନେ କ୍ୟାମ୍ପ ମଧ୍ୟରେ ଶୋଇଥିଲେ। ତେଣୁ ପ୍ରାୟ ୯୦ ଜଣ ଲୋକ ମାଟି ତଳେ ଚାପି ହୋଇଯାଇଥିଲେ। ସେହିପରି ଏହାକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଜାତୀୟ ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି ଦେଇଥିବା ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁ ପ୍ରାୟ ୯୦ ଜଣ ମାଟି ତଳେ ପୋତି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫୯ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ୨୨ ଜଣ ଏବେ ବି ନିଖୋଜ ରହିଛନ୍ତି। ୧୨ ଜଣ ପ୍ରାଣ ହରାଇଥିବା ବେଳେ ଉଦ୍ଧାର ହୋଇଥିବା ୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜିଲ୍ଲା ପୁଲିସ୍‌ ମୁଖ୍ୟ ସୁଫିଆନ ଅବଦୁଲ୍ଲା କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ଏଜେନ୍ସିର ୪୦୦ ଲୋକଙ୍କୁ ସାମିଲ କରାଯାଇଛି। ଆମର ଆଶା ଖୁବଶୀଘ୍ର ନିଖୋଜ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ। ପ୍ରଶାସନିକ ଅଧିକାରୀ ନୋରାଜମ ଖାମିସ କହିଛନ୍ତି, କ୍ୟାମ୍ପ ହୋଇଥିବା ସ୍ଥାନର ୧୦୦ ଫୁଟ ଉପରୁ ମାଟି ଅତଡ଼ା ଧସିଥିଲା। ପ୍ରାୟ ୧ ଏକର ପରିଧି ମଧ୍ୟରେ ମାଟି ଅତଡ଼ା ଖସିବାରୁ ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଲାଗିଥିବା ସେ କହିଛନ୍ତି।

ବର୍ଷକ ତଳେ ଅବିଶ୍ରାନ୍ତ ବର୍ଷା ଓ ଭୂସ୍ଖଳନ ଯୋଗୁ ୭ ରାଜ୍ୟର ୨୧ ହଜାର ଲୋକ ବିସ୍ଥାପିତ ହୋଇଥିଲେ। ଉକ୍ତ ସେଲାନଗୋର ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ପାହାଡ଼ ଠାରୁ ଆରମ୍ଭ କରି ସୁଉଚ୍ଚ ସ୍ଥାନ ସବୁ ରହିଛି। ତେଣୁ ଲୋକମାନେ ଏଠାକୁ ବୁଲିବା ପାଇଁ ଆସନ୍ତି। ସୁନ୍ଦର ପରିବେଶର ମଜା ନେବାକୁ ଅନେକ ଲୋକ କ୍ୟାମ୍ପରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ କ୍ୟାମ୍ପରେ ରହିଥିବା ଲୋକ ଏବେ ଭୂସ୍ଖଳନ ଯୋଗୁ ପ୍ରଭାବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *