ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ  NDA ଉପରାଷ୍ଟ୍ରପତି ପ୍ରାର୍ଥୀ

ଦେଶ

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ ।ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ।

ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବା ପାଇଁ ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେଇଥିଲେ

ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ ୨୦ ଅକ୍ଟୋବର ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିଲେ। ସେ ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ ଥିଲେ। ସେ ୧୯୭୪ରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଥିଲେ।

ରାଧାକ୍ରିଷ୍ଣନ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ ସେ ପ୍ରାୟ ଦେଢ଼ ବର୍ଷ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପୂର୍ବରୁ, ସେ ୨୦୦୪ରୁ ୨୦୦୭ ମଧ୍ୟରେ ତାମିଲନାଡୁରେ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ।

ନିର୍ବାଚନ କମିଶନ କହିଛନ୍ତି ଯେ, ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ଏବଂ ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ ଅଗଷ୍ଟ ୨୨ତାରିଖରେ କରାଯିବ।

Leave a Reply

Your email address will not be published. Required fields are marked *