ବଲାଙ୍ଗିର: ମାତାଲ ଦୁଇ ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ୱିତ। ବ୍ଲକ ଶିକ୍ଷା ଅଧିକାରୀ ଆଜି ଦୁଇ ଜଣଙ୍କୁ ସସ୍ପେଣ୍ଡ କରିଛନ୍ତି। ଦୁଇ ପ୍ରଧାନଶିକ୍ଷକ ମଦ୍ୟପାନ କରିବା ଘଟଣାରେ ଅଭିଭାବକ ପ୍ରତିବାଦ କରିଥିଲେ। ଏହି ଘଟଣା ବଲାଙ୍ଗିର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା।
ଗୁରୁବାର ମାଟୁପାଲି ସରକାରୀ ନୂତନ ପ୍ରାଥମିକ ଵିଦ୍ୟାଳୟରେ ଗୋଟିଏ ମିନି ଭୋଜି ଆୟୋଜନ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜିତ ଦୋରା ମିଶି ମଦ ପିଇ ବୋବାଲ୍ ହୋଇଥିଲେ। ସ୍କୁଲ ଚାଲିଥିବା ବେଳେ ଦୁଇ ପ୍ରଧାନଶିକ୍ଷକ ନିଶାରେ ଟଳମଳ ହେଉଥିଲେ। ଠିକ୍ରେ କଥା ହୋଇପାରୁନଥିଲେ। ଏପରିକି ବାନ୍ତି କରିଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକଙ୍କ ମଦ ପିଇବା କଥା ପିଲାଙ୍କଠାରୁ ଶୁଣି ଅଭିଭାବକମାନେ ସ୍କୁଲ୍ରେ ପହଞ୍ଚିଥିଲେ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ପ୍ରତିବାଦ କରିଥିଲେ।
ଆଜି ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ପ୍ରଧାନଶିକ୍ଷକ ପ୍ରତିଦିନ ମଦ ପିଇ ସ୍କୁଲ ଆସୁଥିବା ଅଭିଯୋଗ କରିଥିଲେ।ସ୍କୁଲ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥକୁ ବାଟମାରଣ କରୁଥିବା ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେତେକ ଅଭିଭାବକ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଦାବି କରିଥିଲେ। ଗାଁ ଲୋକଙ୍କ ଅଭିଯୋଗ ପରେ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।
ବିଇଓ ମାମଲାର ତଦନ୍ତ କରି ମାତାଲ ପ୍ରଧାନ ଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜିତ ଦୋରାଙ୍କୁ ନିଲମ୍ୱିତ କରିଛନ୍ତି।