ମୋହନ ଭାଗବତଙ୍କୁ ‘ରାଷ୍ଟ୍ର ପିତା’ କହିଲେ ବରିଷ୍ଠ ମୁସଲିମ ଧର୍ମଗୁରୁ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମଦ ଇଲୟାସି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସିଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି।

ମୋହନ ଭାଗବନ ଆଜି ମୁସଲିମ ନେତାମାନଙ୍କ ସହ ମିଶିବା ପାଇଁ ଦିଲ୍ଲୀରେ ଥିବା ଗୋଟିଏ ପ୍ରସିଦ୍ଧ ମସଜିଦରେ ପହଞ୍ଚିଥିଲେ। ସେଠାରେ ସେ ମୁସଲିମ ଧର୍ମଗୁରୁମାନଙ୍କ ସହ ଦୀର୍ଘ ଏକ ଘଣ୍ଟା ଧରି ଆଲୋନା କରିବା ସହ ଗୋଟିଏ ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏଥିସହ ପିଲାମାନେ ତାଙ୍କୁ ପବିତ୍ର ଇସଲାମ ଧର୍ମଗ୍ରନ୍ଥ କୁରାନ ମଧ୍ୟ ପଢ଼ି ଶୁଣାଇ ଥିଲେ।

ଏହାପରେ ଉମର ଅହମଦ ଇଲୟାସି ଏନଆଇଏକୁ କହିଛନ୍ତି, “ମୋହନ ଭାଗବତଜୀ ମୋ ନିମନ୍ତ୍ରଣ ରକ୍ଷା କରି ପରିଭ୍ରମଣରେ ଆସିଥିଲେ। ସେ ରାଷ୍ଟ୍ରପିତା ଓ ରାଷ୍ଟ୍ର ଋଷି। ‌ଏଠାକୁ ତାଙ୍କର ଆଗମନ ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବ। ଭଗବାନଙ୍କୁ ଡାକିବା ଓ ପୂଜା କରିବା ପ୍ରକ୍ରିୟା ଭିନ୍ନ କିନ୍ତୁ ସବୁଠାରୁ ବଡ଼ ଧର୍ମ ହେଲା ମାନବିକତା। ଆମେ ସମସ୍ତେ ବିଶ୍ୱାସ କରୁ ଯେ ଦେଶ ପ୍ରଥମ।”

ମୋହନ ଭାଗବତ ଦିଲ୍ଲୀରେ ଥିବା ଗୋଟିଏ ମସଜିଦ ଓ ଗୋଟିଏ ମଦ୍ରାସାକୁ ଯାଇ ସମୟ ବିତାଇଛନ୍ତି। ଏହି ସମୟରେ ସେ ଅଲ ଇଣ୍ଡିଆ ଇମାନ ଅର୍ଗାନାଇଜେସନର ମୁଖ୍ୟଙ୍କ ସହ କଥା ହୋଇଥିଲେ। ପ୍ରଥମେ ଭାଗବତ ଦିଲ୍ଲୀର କସ୍ତୁରବା ଗାନ୍ଧି ମାର୍ଗରେ ଥିବା ମସଜିଦକୁ ଯାଇଥିଲେ। ଏହାପରେ ସେ ଉତ୍ତର ଦିଲ୍ଲୀର ଆଜାଦପୁରରେ ଥିବା ତାଜୱୀଦୁଲ କୁରାନ ମଦ୍ରାସାକୁ ଯାଇଥିଲେ।

ଗୋଟିଏ ମାସ ମଧ୍ୟରେ ମୁସଲିମ ଧର୍ମ ପ୍ରଚାରକଙ୍କ ସହ ଏହା ଭାଗବତଙ୍କ ଦ୍ୱିତୀୟ ଭେଟଘାଟ। ଏହାପୂର୍ବରୁ ସେ ସାଂପ୍ରଦାୟିକ ସଦଭାବକୁ ସଶକ୍ତ କରିବା ପାଇଁ ୫ ଜଣ ମୁସଲିମ ଧର୍ମ ପ୍ରଚାରକଙ୍କୁ ଭେଟିଥିଲେ।

ଆଜି ଭାଗବତ ଓ ଇମାମ ମୁଖ୍ୟଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ରୁଦ୍ଧଦ୍ୱାର ବୈଠକ ବସିଥିଲା। ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା କୃଷ୍ଣ ଗୋପାଳ, ରାମ ଲାଲ ଓ ଇନ୍ଦରେଶ କୁମାର ମଧ୍ୟ ଉପସ୍ଥିତ ରହିଥିଲେ।

ମଦ୍ରାସାର ପିଲାମାନଙ୍କ ସହ ଭାଗବତ କ’ଣ ସବୁ କଥାବାର୍ତ୍ତା ହୋଇଥିଲେ ସେ ସମ୍ପର୍କରେ ଇନ୍ଦରେଶ କୁମାର ସୂଚନା ଦେଇଛନ୍ତି। ଭେଟଘାଟ ବେଳେ ମଦ୍ରାସାରେ ପିଲାମାନେ କ’ଣ ସବୁ ପଢ଼ୁଛନ୍ତି ଓ ସେମାନେ ଜୀବନରେ କ’ଣ ହେବାକୁ ଲକ୍ଷ୍ୟ ରଖିଛନ୍ତି, ସେକଥା ମୋହନ ଭାଗବତ ପଚାରିଥିଲେ। ପିଲାମାନେ ଏହାର ଜବାବରେ ଡାକ୍ତର ଓ ଇଞ୍ଜିନିୟର ହେବାକୁ ଚାହୁଁଥିବା କହିଛନ୍ତି।

ଆରଏସଏସ ମୁଖ୍ୟଙ୍କ ସହ କଥାବାର୍ତ୍ତା ହେବା ବେଳେ ପିଲାମାନେ ବନ୍ଦେ ମାତରମ ଓ ଜୟ ହିନ୍ଦ ନାରା ମଧ୍ୟ ଦେଇଥିଲେ। ଭାଗବତ ମାଦ୍ରାସାର ପିଲାମାନଙ୍କୁ ଇସଲାମିକ ପାଠ୍ୟକ୍ରମ ସହ କମ୍ପ୍ୟୁଟର ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସେମାନଙ୍କ ଭବିଷ୍ୟତରେ ସହାୟକ ହେବ ବୋଲି ସେ କହିଛନ୍ତି। ଏଥିସହ ପିଲାମାନେ ଭାଗବତଙ୍କ କୁରାନ ମଧ୍ୟ ଶୁଣାଇଥିବା ମଦ୍ରାସାର ମୌଲବୀ ମେହମୁଦ ହାସନ ସୂଚନା ଦେଇଛନ୍ତି।

ମଦ୍ରାସାର ପିଲାମାନଙ୍କୁ ମୋହନ ଭାଗବତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଜଡ଼ିତ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ପଚାରିଥିଲେ। ଏଥିସହ ପିଲାମାନେ ଭଲ ଭାବେ କୁରାନ ପଢ଼ିଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅତ୍ୟାଧୁନିକ ପାଠ୍ୟ ବିଷୟବସ୍ତୁ ମଧ୍ୟ ମଦ୍ରାସାର ଅଂଶବିଶେଷ ହେବା ସପକ୍ଷରେ ଭାଗବତ ଗୁରୁତ୍ୱ ଦେଇଛନ୍ତି।

Leave a Reply

Your email address will not be published. Required fields are marked *