ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

Top Storise ରାଜ୍ୟ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା।

ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ ‘କନ୍ଧରା’ ଅବସ୍ଥିତ। ଏହା ଏକ ଐତିହ୍ୟସମ୍ପର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ । ଦୃଷ୍ଟିଶକ୍ତି ହୀନ ଭୀମ ଭୋଇ ଏହି ଗାଁରେ ଗୋରୁ ଚରାଇବା ସମୟରେ କୂଅରେ ପଡ଼ି ଯାଇଥିଲେ । ସେହି ସମୟରେ ହିଁ ସେ ମହିମା ସ୍ୱାମୀଙ୍କ ଠାରୁ ଦିବ୍ୟଦୃଷ୍ଟି ପାଇ କୂଅରୁ ବାହାରି ପାରିଥିଲେ। ସେହି ଦିନଠାରୁ , ସେହି କୂଅ ନିକଟରେ , ସେ ଟୁଙ୍ଗି ସ୍ଥାପନ କରି ମହିମା ଧର୍ମର ପ୍ରଚାର ଆରମ୍ଭ କରିଥିଲେ।

୧୯୯୭ ମସିହାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ , ସେହି କୂଅର ପୁନରୁଦ୍ଧାର କରାଯାଇଥିଲା ଏବଂ ଏକ ଭଜନ ମଣ୍ଡପ ନିର୍ମାଣ କରାଯାଇଥିଲା। କିନ୍ତୁ ତା ପରଠୁ କବିଙ୍କ ସ୍ମୃତିପୀଠରେ ଆଉ ବିଶେଷ କିଛି କାର୍ଯ୍ୟ କରାଯାଇ ନାହିଁ। କିନ୍ତୁ ଦୁଃଖର ବିଷୟ ଯେ , ତାଙ୍କ ସ୍ମୃତି ରକ୍ଷା ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ତାହା କରାଯାଇ ପାରୁନଥିବାରୁ ଏବେ ଅବହେଳିତ ଅବସ୍ଥାରେ ଅଛି ତାଙ୍କର ଜନ୍ମପୀଠ।

ଭୀମ ଭୋଇ ଓ ମହିମା ଧର୍ମ ଉପରେ ଗବେଷଣା କରିବା ପାଇଁ ପ୍ରତିବର୍ଷ ଅନେକ ଗବେଷକ ଏହି ସ୍ଥାନକୁ ଆସନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ କବିଙ୍କ ସ୍ମୃତିପୀଠ ଦର୍ଶନ ପାଇଁ ଆସନ୍ତି। କିନ୍ତୁ ଅନ୍ୟ ପର୍ଯ୍ୟଟନ ସ୍ଥଳୀ ପରି ଏହି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ନ ଥିବାରୁ ପର୍ଯ୍ୟଟକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ସନ୍ଥକବିଙ୍କ ସ୍ମୃତିପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପରେ ମଧ୍ୟ ଏହାର ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏପରି ପରିସ୍ଥିତିରେ ଅଳ୍ପ ଦିନ ମଧ୍ୟରେ ମହିମା ଧର୍ମର ଆଦ୍ୟ ପୀଠ ବିସ୍ମୃତ ପୀଠ ପାଲଟିବ ଏଥିରେ କୌଣସି ସନ୍ଦେହ ନାହିଁ।

Leave a Reply

Your email address will not be published. Required fields are marked *