କଟକ : ସ୍ଵିଗି ବୟକୁ କିଏ ମାରିଲା? କାହିଁକି ମାରିଲା? କେମିତି ମାରିଲା? ତାଙ୍କ ବାଇକ କିଛି ଦୂରରେ ଭାଙ୍ଗି ପଡ଼ିଥିବା ବେଳେ କେମିତି ହେଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ଗୋଟିଏ ପଟେ ହିଟ୍ ଟୁ ରନ୍ ସନ୍ଦେହ କରାଯାଉଥିବା ବେଳେ ଅନ୍ୟପଟେ ଏହା ସୁଚିନ୍ତିତ ହତ୍ୟା ବି ଅନୁମାନ କରାଯାଉଛି। ପ୍ରକୃତ ଘଟଣା ଖୋଜିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେଇଯାଇଛି। ସନ୍ଦେହରେ ସ୍ୱିଗି କମ୍ପାନୀ କତୃପକ୍ଷ।
ସୂଚନାଯୋଗ୍ୟ, କଟକରେ ଜଣେ ଖାଦ୍ୟ ଡେଲିଭରି ବଏଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ କାଲି ରାତିରେ ଖାଦ୍ୟ ଡେଲିଭରି ଦେବାକୁ ଆସିଥିବା ସ୍ୱିଗି ଡେଲିଭରି ବୟ ନିରାକାର ବେତାଳ ଆଉ ଫେରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିରାକାର ଘରକୁ ନଫେରିବାରୁ ଘର ଲୋକେ ଫେଜ୍-ଟୁ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ନିରାକାରଙ୍କ କ୍ଷତବିକ୍ଷତ ମୃତ ଦେହ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ପାଖରୁ ମିଳିଛି। ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିରାକାରଙ୍କ ମୃତ ଦେହଠାରୁ କିଛି ଦୁରରେ ତାଙ୍କ ବାଇକ୍, ହେଲମେଟ, ସ୍ୱିଗି ୟୁନିଫର୍ମ ଇତ୍ୟାଦି ପଡିଥିଲା। ନିରାକାରଙ୍କ ବେକ ତଳକୁ ଓ ଛାତି ଉପରେ ଗଭୀର କ୍ଷତ ରହିଛି। ନିରାକାରଙ୍କ ବାଇକ୍ ଭାଙ୍ଗି ରୁଜି ଯାଇଥିବା ଵେଳେ, ଅଳ୍ପ ଦୂରରେ ଏକ ଚାରିଚକିଆ ଗାଡ଼ିର କିଛି ଭଙ୍ଗା ଅଂଶ ପଡ଼ିଛି। ପ୍ରାଥମିକ ଅବସ୍ଥାରେ ପୋଲିସ ହିଟ୍ ଏଣ୍ଡ ରନ ମାମଲା ସନ୍ଦେହ କରି ତଦନ୍ତ କରୁଛି। କିନ୍ତୁ ଏହା ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର ଓ ପ୍ରତ୍ୟକ ଦିଗକୁ ଧ୍ୟାନ ଦେଇ ତଦନ୍ତ ଚାଲୁ ରହିଛି ବୋଲି ପୋଲିସ କହିଛି। ସେପଟେ ଯଦି ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥାଏ, ତେବେ ଖାଦ୍ୟ ଶୀଘ୍ର ଡେଲିଭରି ଦେବା ପାଇଁ ଯେଉଁ ଅସ୍ଵାସ୍ଥ୍ୟକର ପ୍ରତିଯୋଗିତା ଚାଲିଛି, ନିରାକାର ତାର ଶୀକାର ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ଏହି ଘଟଣାକୁ ନେଇ ସ୍ୱିଗି କର୍ତ୍ତୃପକ୍ଷଙ୍କ ଭୂମିକା ଏବେ ସନ୍ଦେହଜନକ ରହିଛି। ଶନିବାର ରାତିରୁ ପୋଲିସ ସ୍ବିଗି କର୍ତ୍ତୃପକ୍ଷଙ୍କୁ ନିରାକାରଙ୍କ ଡେଲିଭରି ଲୋକେଶନ ସେୟାର କରିଵାକୁ କହିଥିଲେ ମଧ୍ୟ ରାତିରେ ସ୍ବିଗି କର୍ତ୍ତୃପକ୍ଷ ଲୋକେସନ ଜଣାଇନଥିଲେ। କାର୍ଯ୍ୟରତ ସ୍ବିଗି ଡେଲିଭରି ଵୟଙ୍କର ମୃତ୍ୟୁ ପାଇଁ କମ୍ପାନୀ ପକ୍ଷରୁ ୧୦ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ସ୍ବିଗି କର୍ତ୍ତୃପକ୍ଷ ଏ ନେଇ କିଛି ସ୍ବଷ୍ଟ କରୁନଥିବା ଅଭିଯୋଗ ହୋଇଛି।

