ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟକୁ ନେଇ ତେଜିଲା ରାଜନୀତି; ମୁହାଁମୁହିଁ ହେଲେ ବିଜେପି-ବିଜେଡି

Top Storise ରାଜ୍ୟ

ଭୁବନେଶ୍ୱର: ନବଦାସ ହତ୍ୟା ଘଟଣାର ଚାର୍ଜସିଟ ରିପୋର୍ଟକୁ ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ସିବିଆଇ ରିପୋର୍ଟକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏପରିକି ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଖସାଇବା ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି । ଏପରିକି ସିବିଆଇ ତଦନ୍ତକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛନ୍ତି ।

ଆଜି ଏକ ପ୍ରେସମିଟ କରି ବିଜେପି କହିଛି, ଚାର୍ଜସିଟରେ କେବଳ ଗୋପାଳ ଦାସକୁ ଖସାଇବା ପାଇଁ ଉଦ୍ୟମ କରାଯାଇଛି । ଏହି ଚାର୍ଜସିଟରେ ହତ୍ୟା ପଛର ଷଡଯନ୍ତ୍ର ବିଷୟରେ ଉଲ୍ଲେଖ ନାହିଁ  । ହତ୍ୟାର କାରଣ କ’ଣ ତାହା ମଧ୍ୟ ଉଲ୍ଲେଖ କରାଯାଇ ନାହିଁ । ବିଧାନସଭାରେ ମଧ୍ୟ ଗୋପାଳ ଦାସ ସମେତ ଅନେକ ନାଁ ଉଠିଥିଲା । ଏପରିକି କଲ ରେକର୍ଡ ଯାଂଚ କରିବାକୁ ଦାବି ମଧ୍ୟ କରାଯାଇଥିଲା । ହେଲେ ସେ ଦିଗରେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ କରାଯାଇନି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ଅଭିଯୋଗ କରିଛି, ମୁଖ୍ୟମନ୍ତ୍ରୀ ତାଙ୍କର ଜଣେ ସହଯୋଗୀ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରିଲେ ନାହିଁ କିମ୍ବା ହତ୍ୟାର ରହସ୍ୟ ଉନ୍ମୋଚନ କରିପାରିଲେ ନାହିଁ ।  ପ୍ରଥମେ ଗୋପାଳ ଦାସର ମାନସିକ ବିକୃତି ରହିଛି ବୋଲି କହୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ତଦନ୍ତ ରିପୋର୍ଟରେ ପରିବର୍ତ୍ତନ କରାଯାଇଛି । ତଦନ୍ତର ଅନେକ ଦିଗକୁ ଦୃଷ୍ଟି ଦିଆ ଯାଇନାହିଁ ବୋଲି ବିଜେପି ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅନ୍ୟପକ୍ଷେ ବିଜେପିର ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଏହାର ଉତ୍ତର ରଖି   ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି,  ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ନବ ଦାସ ହତ୍ୟା ଘଟଣା ତଦନ୍ତ କରାଯାଉଥିଲା । ତଦନ୍ତ ଶେଷ ହେବା ପରେ ଏହାର ଚାର୍ଜସିଟ୍ ଦାଖଲ ହୋଇଛି ।  ବିଚାର ବିଭାଗୀୟ ତଦନ୍ତ ହୋଇଥିଲା ତେଣୁ  ଏବେ ବି ଅନେକ ପ୍ରକ୍ରିୟା ବାକି ଅଛି । କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଚାର୍ଜସିଟ ବାବଦରେ ସବୁ ସାର୍ବଜନୀନ କରାଯିବ ।

ବଡ଼ ବଡ଼ ଲୋକଙ୍କୁ ଖସେଇ ଦିଆଯାଇଥିବା ଓ ଦଫା ଲାଗିନି ବୋଲି ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ  । ତେବେ ସମ୍ପୂର୍ଣ୍ଣ ଚାର୍ଜସିଟ ଆସିଲେ ତାହାର ନକଲ ସାର୍ବଜନୀନ କରାଯିବ ବୋଲି କହିଛନ୍ତି  ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

Leave a Reply

Your email address will not be published. Required fields are marked *