ନୀଳଗିରି: ଯେଉଁ ହାତ ଦିନେ ପାଠ ପଢ଼ାଉଥିଲା, ଯେଉଁ ପାଟିରୁ ଶିକ୍ଷଣୀୟ କଥା ବାହାରୁଥିଲା, ଏବେ ସେହି ହାତରେ ମୃଦଙ୍ଗ ଓ ସେହି ପାଟିରେ ଶୁଭୁଛି ପ୍ରତିବାଦର ସ୍ୱର। ନିୟମିତ ହେବା ଆଶାରେ ପ୍ରାୟ ୧୫ ବର୍ଷ ବେଠି ଖଟିବା ପରେ ଏହାକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ଶତାଧିକ ସାନ୍ତାଳୀ ଭାଷାର ଅଲଚିକ ଶିକ୍ଷକ ।
ମୟୂରଭଞ୍ଜର ଜନଜାତି ଭାଷାକୁ ବଞ୍ଚାଇ ରଖିବାକୁ ପ୍ରାୟ ୧୯ଟି ଆଦିବାସୀ ବ୍ଲକ ଅଞ୍ଚଳରେ ଶହେ ଅଲଚିକ ଶିକ୍ଷକଙ୍କୁ ୨୦୦୭ ମସିହାରେ ନିଯୁକ୍ତି ଦିଆଯାଇଥିଲା। ଖୁବ୍ ଶୀଘ୍ର ସେମାନଙ୍କୁ ନିୟମିତ କରାଇବାର ଲୋଭ ବି ଦେଖାଇଥିଲେ ସରକାର। ଏପରିକି ସେମାନଙ୍କୁ ୩୨ ହଜାର ଟଙ୍କା ଦରମା ପ୍ରଦାନ କରାଯିବାର ଦିବାସ୍ୱପ୍ନ ଦେଖାଯାଇଥିବା ବେଳେ ତାହା ଏବେ ୩୨୦୦ରେ ଅଟକି ଯାଇଛି। ଏବେ ଆଉ କୌଣସି ଅଧିକାରୀ ମନ୍ତ୍ରୀ, ଅଧିକାରୀ ଧରାଛୁଆଁ ଦେଉ ନ ଥିବାରୁ ନିଜ ନାର୍ଯ୍ୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏହି ଶିକ୍ଷକମାନେ।
ରାଷ୍ଟ୍ରପତିଙ୍କ ଜିଲ୍ଲାର ଏହି ଶିକ୍ଷକମାନେ ଏବେ ରାଜଧାନୀମୁହାଁ ହୋଇଥିବା ବେଳେ ସେଠାରେ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୧୫ ତାରିଖର ଜିଲ୍ଲାର ସନ୍ତାଳୀ ଭାଷାର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକଜୁଟ ହୋଇ ରାଇରଙ୍ଗପୁର ଅଞ୍ଚଳରୁ ପଦଯାତ୍ରା କରି ଆଜି ନୀଳଗିରିରେ ପହଞ୍ଚିଛନ୍ତି। ନୀଳଗିରିରୁ ପଞ୍ଚଲିଙ୍ଗେଶ୍ୱର ପଟ ଦେଇ ସେମାନେ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିବା ସହ ଯଦି ଦାବି ପୂରଣ ନହୁଏ ତାହାଲେ ସେଇଠି ଚାକିରି ଛାଡିବେ ବୋଲି ନିଷ୍ପତି ନେଇଥିବା କହିଛନ୍ତି। ଏପରିକି ନିଜ ଜଏନିଂ ଲେଟର ସହ ୟୁନିଫର୍ମକୁ ବି ରାଜଧାନୀରେ ଫୋପାଡ଼ି ଦେଇ ଆସିବାର ଚେତାବନୀ ଦେଇଛନ୍ତି।

ନିଜ କ୍ଷୋଭ ପ୍ରକାଶ କରି ଶିକ୍ଷକମାନେ କହିଛନ୍ତି, ରାଜ୍ୟ ସରକାର ଆମକୁ ୧୫ ବର୍ଷ ହେଲା ବେଠି ଖଟାଉଛନ୍ତି। ହଜାରେ ଟଙ୍କା ଦରମାରୁ ଚାକିରି ଆରମ୍ଭ କରିଥିବା ବେଳେ ଏବେ ତାହା ୩୨୦୦ରେ ପହଞ୍ଚିଛି। ନିୟମିତ କରିବେ କହି ଆଉ କେହି ଶୁଣୁ ନାହାନ୍ତି। ଏହି ସ୍ୱଳ୍ପ ଦରମାରେ ପରିବାର ଚଳାଇବା ସମ୍ଭବ ହେଉନି। ରାଜ୍ୟ ସରକାରଙ୍କ ଏ ପ୍ରତାରଣା ଆଉ ସହି ପାରିବୁନି। ନିୟମିତ ନ କଲେ ଜଏନ ଲେଟର ସହ ୟୁନିଫର୍ମ ବି ଫୋପାଡ଼ି ଦେଇ ଆସିବୁ। ସରକାର ଆମକୁ ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି। ଏହାର ଜବାବ ଆମେ ରାଜ୍ୟ ସରକାରଙ୍କୁ ଦେବୁ ।