ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ, କିନ୍ତୁ ୯ ଓ ୧୦ରେ ବର୍ଷା!

Top Storise ରାଜ୍ୟ

ଭୁବନେଶ୍ୱର: ଘନୀଭୂତ ହେଉଛି ବାତ୍ୟା ମେନ-ଣ୍ଡୋସ୍‌। ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପନେବାର ସମ୍ଭାବନା ରହିଛି। ଏହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ୯ ତାରିଖ ସକାଳ ସାଢ଼େ ୮ଟାରୁ ୧୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଠିକ୍‌ ସେହିପରି ୧୦ ତାରିଖ ସକାଳ ସାଢ଼େ ୮ଟାରୁ ୧୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି ବୋଲି ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ କହିଛନ୍ତି। 

ସେ ଆହୁରି କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ରହିଥିଲା। ସମତଳ ଅଞ୍ଚଳରେ ସର୍ବନିମ୍ନ ରାତିର ତାପମାତ୍ରା ଫୁଲବାଣୀରେ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଠିକ୍‌ ସେହିପରି ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ସକାଳେ ରାଜ୍ୟରେ କେତେକ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଥିଲା ବୋଲି ଶ୍ରୀ ଦାସ କହିଛନ୍ତି।

ଆଗାମୀ ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା, କମିବ ଶୀତ। ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *