ନୂଆଦିଲ୍ଲୀ: ଜାତୀୟ ସ୍ତରୀୟ ପ୍ରଦର୍ଶନ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। ବରଗଡର କଲ୍ୟାଣୀ ସାହୁ ହେଲେ ପୁରସ୍କୃତ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ବରଗଡ଼ ଜିଲ୍ଲାର ଛାତ୍ରୀ କଲ୍ୟାଣୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛି। ସେ ଓଡ଼ିଶାର ଦୁଇ ପୁରସ୍କୃତଙ୍କ ମଧ୍ୟରୁ ଅନ୍ୟତମ ଯିଏକି ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ୬୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ୟତମ ଓଡ଼ିଆ ପ୍ରତିଭା ହେଉଛନ୍ତି ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ବିକାଶ ମିଶ୍ର ।
ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଓ ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନର (NIF) ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ମାନକ ବା (Million Minds Augmenting National Aspiration and Knowledge) ଆୟୋଜିତ ହୋଇଥିଲା।
କଲ୍ୟାଣୀ ସାହୁ ବରଗଡ଼ ଜିଲ୍ଲାର ମୁରହାପାଲୀ ବ୍ଲକର ଦେଓଲି ନୋଡାଲ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ। ସେ ରୋଗୀ ଏବଂ ବୃଦ୍ଧମାନଙ୍କ ପାଇଁ ଉଦ୍ଦିଷ୍ଟ ହାଇ-ଟେକ୍ ବେଡ୍ ଉପରେ ଏକ ଅଭିନବ ପ୍ରକଳ୍ପ ତିଆରି କରିଥିଲେ। ଏଥିପାଇଁ ସେ ପୁରସ୍କୃତ ହୋଇଛନ୍ତି।
ଏହି ଅଭିନବ ବେଡ ଅତି ସହଜରେ ପରିଚାଳିତ ହୋଇପାରିବ। ଏହା ଏକ ସ୍ୱୟଂଚାଳିତ ବେଡ୍। ବିଦ୍ୟୁତ୍ ସରବରାହ ହେଲେ ଏଲଡିଆର ସେନ୍ସର ସାହାଯ୍ୟରେ ବେଡଟି ପରିଚାଳିତ ହୋଇପାରିବ। ଏହି ଉଦ୍ଭାବନ ବୃଦ୍ଧ ଏବଂ ଡାକ୍ତରଖାନାରେ ରୋଗୀଙ୍କୁ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବରଗଡ ଜିଲ୍ଲାର ଏକ ଗାଁରୁ ଆସି କଲ୍ୟାଣୀ ଉଭୟ ଜାତୀୟ ତଥା ଆନ୍ତର୍ଜାତୀୟ ଫୋରମରେ ଓଡ଼ିଶାକୁ ଗର୍ବିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୧୪ ତାରିଖରୁ ଆରମ୍ଭ ହୋଇ ୧୬ ରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୫୬ ଛାତ୍ରଛାତ୍ରୀ ସେମାନଙ୍କ ଅଭିନବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ପୁରସ୍କାର ସମାରୋହରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଡକ୍ଟର ଜିତେନ୍ଦ୍ର ସିଂ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।