୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
ଢେଙ୍କାନାଳରେ ବ୍ୟାଟେରୀ ଷ୍ଟୋରେଜ ବି ନିର୍ମାଣ ହେବ
ଖୋର୍ଦ୍ଧାରେ ନୂଆ ଇଭି କାରଖାନା
ଜଗତସିଂପୁରରେ ହେବ ୩ଷ୍ଟାର ହୋଟେଲ
ଅନୁଗୁଳରେ ହେବ ଏନର୍ଜି ଯନ୍ତ୍ରାଂଶ କାରଖାନା
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି, ରାଜ୍ୟସ୍ତରୀୟ ସିଂଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୩୯ତମ ବେଠକ। ବୈଠକରେ ୪,୫୧୫ କୋଟିର ୧୮ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏହି ପ୍ରକଳ୍ପ ସବୁ ଅନୁଗୁଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରତିଷ୍ଠା ହେବ । ୮ଟି ଜିଲ୍ଲାରେ ୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବିଭିନ୍ନ କ୍ଷେତ୍ରରେ ନିବେଶ ବ୍ୟାପକ କରି ମୋହନ ସରକାର ରୋଜଗାର ସୃଷ୍ଟି ମାଧ୍ୟମରେ ଆର୍ଥିକ ବିକାଶ, ସ୍ଥାନୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଓ ସମାନୁପାତିକ ଶିଳ୍ପର ବିକାଶକୁ ସୁନିଶ୍ଚିତ କରୁଛନ୍ତି।
ସବୁଜ ଶକ୍ତି କ୍ଷେତ୍ରରେ ତିନିଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଆଇନକ୍ସ ସୋଲାର୍ ଢେଙ୍କାନାଳରେ ୨୮୩ କୋଟି ଟଙ୍କା ନିବେଶରେ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ଆସେମ୍ବଲ କାରଖାନା ବସାଇବ। ଜିନ୍ଦଲ ଷ୍ଟେନ୍ଲେସ୍ ଯାଜପୁରରେ ୯୦ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ବସାଇବ। ରାୟପୁରର ଏକ କମ୍ପାନି ଗଞ୍ଜାମରେ ୭୫୦ କୋଟି ଟଙ୍କା ନିବେଶରେ ଏକ ସବୁଜ ଶକ୍ତି ଉପକରଣ କାରଖାନା ସ୍ଥାପନ କରିବ।
ଜଗତସିଂହପୁରରେ ତିନିଟି ତାରକା ହୋଟେଲ୍ ନିର୍ମାଣ କରାଯିବ। ପଦ୍ମା ହସ୍ପିଟାଲିଟି ୫୯.୯୧ କୋଟି ଟଙ୍କାରେ ଏକ ତିନିତାରକା ହୋଟେଲ୍, ଏସ୍ଏନ୍ଏମ୍ ହୋଟେଲ୍ସ ଆଣ୍ଡ୍ ରିସୋର୍ଟସ୍ ୯୨.୩୨ କୋଟି ଟଙ୍କାରେ ଏକ ଚାରିତାରକା ହୋଟେଲ୍ ଓ ରିସୋର୍ଟସ୍ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍ ପାରାଦୀପରେ ୨୧୧ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ହୋଟେଲ୍ ନିର୍ମାଣ କରିବ। ଷ୍ଟାର୍କ୍ୟାପ୍ସ ଗ୍ଲୋବାଲ୍ ଏଲ୍ଏଲ୍ପି ଖୋର୍ଦ୍ଧାରେ ୮୦ କୋଟି ଟଙ୍କା ନିବେଶ କରି ଏକ ଔଷଧ କାରଖାନା ବସାଇବ।
ଭାଇବ୍ରାଣ୍ଟ୍ ସ୍ପିରିଟ୍ସ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କାରେ ବାୟୋଗ୍ୟାସ୍ ୟୁନିଟ୍ ବସାଇବ। ଶ୍ରୀ ଜଗନ୍ନାଥ କ୍ୟାରିୟର୍ସ ଅନୁଗୁଳରେ ୧୧୧.୯୦ କୋଟି ଟଙ୍କା ନିବେଶରେ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ଘର ନିର୍ମାଣ କରିବ। ସାପିଏନ୍ ରିସୋର୍ସେସ୍ ଅନୁଗୁଳରେ ୭୦ କୋଟି ଟଙ୍କା ନିବେଶରେ କୋଲ୍ ୱାସରି ବସାଇବ।

