ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବି. ସୁଦର୍ଶନ ରେଡ୍ଡୀ ହୋଇଛନ୍ତି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ।
ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଥିଲେ ବି. ସୁଦର୍ଶନ ରେଡ୍ଡୀ । ଦୁଇ ଦିନ ତଳେ NDA, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପ୍ରାର୍ଥୀ ଘୋଷଣା କରିବା ଦିନକ ପରେ, ଆଜି ନିଜ କାର୍ଡ ଖେଳିଛି ଇଣ୍ଡି ମେଣ୍ଟ।

ତାମିଲନାଡ଼ୁ ତିରୁପତିର ସି.ପି. ରାଧାକ୍ରିଷ୍ଣନଙ୍କୁ NDA ପ୍ରାର୍ଥୀ କରିବା ପରେ, ସେଇ ଦକ୍ଷିଣ ଭାରତରୁ ନିର୍ଦ୍ଦଳୀୟ ଚେହେରା ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି ଇଣ୍ଡି। କଂଗ୍ରେସ, ଡିଏମକେ, ଟିଏମସି ସମେତ ଇଣ୍ଡି ମେଣ୍ଟର ନେତା ଏକାଠି ଭାବେ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ସବୁ ଦଳ ଜଣେ ସହମତ ପ୍ରାର୍ଥୀ ବାଛିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ମୁଁ ଖୁସି ଯେ, ବିରୋଧୀ ମେଣ୍ଟର ସବୁ ଦଳ ଗୋଟିଏ ନାମରେ ସହମତି ପ୍ରକାଶ କରିଛନ୍ତି । ଏହା ଗଣତନ୍ତ୍ର ପାଇଁ ଏକ ବଡ଼ ସଫଳତା ।”

ଏପଟେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ମଧ୍ୟ ସସପେନ୍ସ ଲାଗି ରହିଛି। ବିଭିନ୍ନ ବିରୋଧୀ ଦଳଙ୍କ ସହ କଥା ହୋଇ ସମର୍ଥନ ଲୋଡ଼ୁଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନବୀନଙ୍କୁ ମଧ୍ୟ ଫୋନ୍ କରି ବିଜେଡିର ସମର୍ଥନ ଲୋଡ଼ିଥିବା ଚର୍ଚ୍ଚା ହେଉଛି। ଗତଥର ଉପରାଷ୍ଟ୍ରପତି ନିର୍ବାଚନ ବେଳେ ମୋଦିଙ୍କ ଅପିଲ୍ ପରେ NDA ପ୍ରାର୍ଥୀ ଧନଖଡ଼ଙ୍କୁ ସମର୍ଥନ ଦେଇଥିଲା ବିଜେଡି। ତେବେ ବର୍ତ୍ତମାନ ସ୍ଥିତି ପୂରାପୂରି ଭିନ୍ନ ରହିଛି।

