ନୂଆ ଭୂମିକାରେ ପାଣ୍ଡିଆନ: ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ, ଭାଇରାଲ ହେଲା ଉତ୍ତର

Top Storise ରାଜ୍ୟ

ଭୁବନେଶ୍ୱର:  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଏକ ନୂଆ ଭୂମିକାକୁ ନେଇ ଆଜି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଶ୍ରୀ ପାଣ୍ଡିଆନ ପ୍ରଶାସକରୁ ସାମ୍ବାଦିକ ପାଲଟି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଆଉ ତା’ର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଦେଉଛନ୍ତି । ଏଭଳି ଏକ ଭିଡିଓ ବିଜେଡି ଡିଜିଟାଲ ଟିମ୍ ପକ୍ଷରୁ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ସାମ୍ବାଦିକ ଓ ଗଣମାଧ୍ୟମର ପ୍ରଶ୍ନରୁ ଅଧିକାଂଶ ସମୟରେ ଦୂରେଇ ରହୁଥିବା ତଥା ସାମ୍ବାଦିକଙ୍କୁ କ୍ୱଚିତ୍ ଉତ୍ତର ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ’ଣ ନିଜ କଥା ନିଜେ କୁହାଇବା ପାଇଁ ସାମ୍ବାଦିକଙ୍କ ପରିବର୍ତ୍ତେ ନିଜର ବ୍ୟକ୍ତିଗତ ସଚିବଙ୍କୁ ଚୟନ କରିଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜେଡି ଡିଜିଟାଲ ଟିମ୍ ପକ୍ଷରୁ ଆଜି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୨୫ ସେକେଣ୍ଡର ଭିଡିଓରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବି ନିଜ ଚିରାଚରିତ ଢଙ୍ଗରେ ଉତ୍ତର ଦେଉଛନ୍ତି । ମୁମ୍ବାଇର ପଂଚତାରକା ହୋଟେଲରେ ଏହି ଭିଡିଓ ସୁଟିଂ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଏହି କଥାବର୍ତ୍ତାର ଭିଡିଓକୁ ବିଜେଡି ଡିଜିଟାଲ ୱିଙ୍ଗ ପକ୍ଷରୁ କାହିଁକି ଭାଇରାଲ କରାଯାଉଛି? ଗଣମାଧ୍ୟମ ସମ୍ମୁଖରେ କ୍ୱଚିତ୍ ପ୍ରତିକ୍ରିୟା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରାୟୋଜିତ ଭିଡିଓକୁ ଭାଇରାଲ କରାଯିବାର ଉଦ୍ଦେଶ୍ୟ କ’ଣ? ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇର ହୋଟେଲରେ ମୁଖ୍ୟମନ୍ତ୍ରୀଙ୍କ ରହଣୀ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ମଧ୍ୟରେ କଥାବାର୍ତ୍ତାକୁ କିଏ ରେକର୍ଡ କଲା ଓ ତାକୁ ଭାଇରାଲ କରିବାକୁ କିଏ ଅନୁମତି ଦେଲା, ତାହା ବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ନିଜର ମନ କଥା ଲୋକଙ୍କ ଆଗରେ ରଖିବାକୁ ଚାହୁଁଛନ୍ତି ଅବା ସେ ଯାହା କରୁଛନ୍ତି ତାହା ଓଡ଼ିଶାର ଲୋକେ ଜାଣିବା ଦରକାର ବୋଲି ଅନୁଭବ କରୁଛନ୍ତି ତା’ହେଲେ ନିଜସ୍ୱ ଗଣମାଧ୍ୟମ (ବିଜେଡି ବିଧାୟକଙ୍କ ମାଲିକାନାରେ ଥିବା ସଂସ୍ଥା)କୁ ସାକ୍ଷାତକାର ଦେଇ ଏହି ତଥ୍ୟ ରଖିପାରନ୍ତେ ।

ଅବଶ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ କଥା ଅବା ଚାହୁଁଥିବା କଥାକୁ ଗଣମାଧ୍ୟମ ଓ ଲୋକଙ୍କ ସମ୍ମୁଖରେ ରଖିବା ନିମନ୍ତେ ଗତ କିଛିବର୍ଷ ଧରି କେବଳ ନିଜ ବ୍ୟକ୍ତିଗତ ସଚିବଙ୍କ ଉପରେ ଭରସା କରୁଛନ୍ତି । ଏକଥା ଏକ ସରକାରୀ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ନିଜେ ସ୍ପଷ୍ଟ କରାଇଥିଲେ ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୯ ଡିସେମ୍ବର ୩୦ତାରିଖରେ ଏକ ସମୀକ୍ଷା ବୈଠକ କରୁଥିବାବେଳେ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ହିଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ମନକୁ କିଭଳି ଓ କେବେଠୁ ଆସିଲା ତାହା ସାର୍ବଜନୀନ କରିଥିଲେ । ସେ କହିଥିଲେ ଯେ,୨୦୧୬ ଜାନୁୟାରୀ ପହିଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବାବେଳେ ରାସ୍ତାକଡ଼ରେ ଥିବା ମହାପ୍ରଭୁଙ୍କ ସମସ୍ତ ଫଟୋଚିତ୍ରକୁ ମୁଖ୍ୟମନ୍ତ୍ରୀ ହାତଯୋଡ଼ି ନମସ୍କାର କରିବା, ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଏକ ନୂଆ ରୂପ ଦେଖିବାର ସୁଯୋଗ ପାଇଥିଲେ ତଥା ମୁଖ୍ୟମନ୍ତ୍ରୀ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠୁ ବଡ଼ ଭକ୍ତ ବୋଲି ଉକ୍ତ ସମୀକ୍ଷା ବୈଠକରେ ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ । ଯାହାକି ସେତେବେଳେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Leave a Reply

Your email address will not be published. Required fields are marked *