ପିଓକେ ଦଖଲ ପ୍ରସଙ୍ଗ: ‘ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବ ସେନା’

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଦଖଲ କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ପିଓକେ ଦଖଲ ହେଉ କି ଆଉ ଯାହା ବି କିଛି ମିଶନ ହେଉ, ସରକାରଙ୍କ ସବୁ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛି। ଭାରତ ସରକାର ଯାହା ବି ନିର୍ଦ୍ଦେଶ ଦେବେ, ସେନା ଯବାନମାନେ ତାକୁ କାର୍ଯ୍ୟକାରୀ କରିବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି ନର୍ଦ୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ଆଜି ମିଡିଆ ବ୍ରିଫିଂ ବେଳେ ସାମ୍ବାଦିକମାନେ ତାଙ୍କୁ ପିଓକେ ଦଖଲ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ଭାରତୀୟ ଆର୍ମି ସବୁବେଳେ ଭାରତ ସରକାରଙ୍କ ସବୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ। ଯେତେବେଳେ ବି ଏମିତି କିଛି ନିର୍ଦ୍ଦେଶ ଆସିବ, ଏହାକୁ କାର୍ଯ୍ୟକାରୀ କରିବାକୁ ଆମେ ସବୁ ବେଳେ ପ୍ରସ୍ତୁତ ହୋଇ ରହିଛୁ।

କିଛି ଦିନ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୋଟିଏ ଭାଷଣ ବେଳେ ପିଓକେ ପୁନଃ ଦଖଲ କରାଯିବ ବୋଲି ସଙ୍କେତ ଦେଇଥିଲେ। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀଙ୍କ ବୟାନ ସାମ୍ନାକୁ ଆସିଛି। ଅକ୍ଟୋବର ୨୭ରେ ଶ୍ରୀ ସିଂହ କହିଥିଲେ ପାକିସ୍ତାନ ଭାରତକୁ ପଛରୁ ଛୁରା ମାରିଛି।

ଏଥିସହ କଶ୍ମୀର ଯେଉଁ ଅଂଶ ପାକିସ୍ତାନ ନିଜ ପାଖରେ ରଖିଛି, ସେଠାରେ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। ପିଓକେରେ ଥିବା କଶ୍ମୀରିଙ୍କ ଯନ୍ତ୍ରଣା ଆମେ ଅନୁଭବ କରିପାରୁଛୁ। ଆମେ କଶ୍ମୀରର ବିକାଶ ପାଇଁ କାମ ଆରମ୍ଭ କରିଛୁ ଓ ଏହି ବିକାଶଧାରା ଗିଲଗିଟ ଓ ବାଲଟିସ୍ତାନରେ ନ ପହଞ୍ଚିଲା ଯାଏ ଆମେ ଅଟକିବୁ ନାହିଁ। କଶ୍ମୀରିୟାତ ନାଁରେ ପାକିସ୍ତାନ ଭାରତକୁ ଲସ୍କର ଆତଙ୍କୀଙ୍କୁ ପଠାଉଥିବା ସେ କହିଥିଲେ।

Leave a Reply

Your email address will not be published. Required fields are marked *