ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ରାଷ୍ଟ୍ରପତି ହେବା ପରେ ନିଜ ଗୃହ ରାଜ୍ୟକୁ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ।
ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ପରେ ସେ ସେଠାରୁ ସିଧାସଳଖ ରାଜଭବନ ଯିବେ । ରାଜଭବନରେ ରାତ୍ରି ରହଣୀ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୧୧ତାରିଖ ସକାଳେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ଏହାପରେ ସେ ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କୁ ଅବଗତ କରାଯାଇଛି ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଦେଶର ପ୍ରଥମ ଆଦିବାସୀ ଓ ଓଡ଼ିଆ ମହିଳା ଭାବେ ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ତାରିଖରେ ରାଷ୍ଟ୍ରପତି ପଦର ଶପଥ ନେଇଥିଲେ ।