ଦିଲ୍ଲୀ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ଼-୧୯ ମହାମାରୀ ସମୟରେ ସମସ୍ତେ ଗୋଟିଏ ପରିବାର ଭଳି ଏକଜୁଟ ହୋଇଥିବାରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦେଶବାସୀଙ୍କୁ ପ୍ରଶଂସା କରିଥିଲେ । ଓମିକ୍ରନକୁ ନେଇ ସତର୍କ କରାଇ କହିଲେ, ଓମିକ୍ରନକୁ ଡ଼ରିବା ନାହିଁ । ପୂର୍ବ ଭଳି ଏହାକୁ ମଧ୍ୟ ସାହାସ ଓ ଧୌର୍ଯ୍ୟ ସହ ମୁକାବିଲା କରିବା । ଓମିକ୍ରନ ଭାରତରେ ପ୍ରବେଶ କରୁଥିବାରୁ ଆମେ ଅଧିକ ସତର୍କ ରହିବା । ନବବର୍ଷ ପ୍ରବେଶ ପ୍ରସ୍ତୁତିବେଳେ କରୋନାଭାଇରସ ମୁକାବିଲାକୁ ବହୁଗୁଣ କରିବା ଲାଗି ଆମକୁ ଶପଥ ନେବାକୁ ପଡ଼ିବ ।
ତାମିଲନାଡ଼ୁରୁ କୁନୁର ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଏବଂ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି । ସେ କହିଲେ, ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କ ଚିଠି ମୋ ଅନ୍ତରକୁ ସ୍ପର୍ଶ କରିଛି । ପ୍ରଧାନମନ୍ତ୍ରୀ ତାଙ୍କ ସ୍କୁଲ ଚିଠି କଥା ସ୍ମରଣ କରି କହିଲେ, ମୃତ୍ୟୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିଥିବା ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କୁ ୨୦୨୧ ଅଗଷ୍ଟରେ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପରେ ସେ ନିଜ ସ୍କୁଲ ପ୍ରିନ୍ସପାଲଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ପଢ଼ି ମୋ ମନକୁ ବିଚାର ଆସିଥିଲା, ସଫଳତାର ଶୀର୍ଷରେ ପହଞ୍ଚି ମଧ୍ୟ ନିଜର ମୂଳକୁ ଭୁଲିଯିବା ଦରକାର ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରସଙ୍ଗ ଆରମ୍ଭ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିବା ଉକ୍ତି ଉଦ୍ଧାର କରିଥିଲେ । ଶ୍ରୀକୃଷ୍ଣ କହିଥିଲେ, ନଭଃ ସ୍ପର୍ଶମ୍ ଦୀପ୍ତମ୍ ଅର୍ଥାତ୍ ସଗର୍ବ ଆକାଶ ସ୍ପର୍ଶ କର । ଏହା ଭାରତୀୟ ବାୟୁସେନାର ନୀତି ବାକ୍ୟ । ଶେଷରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ପରବର୍ତ୍ତୀ ମନ କି ବାତ୍ ୨୦୨୨ରେ ପ୍ରସାରଣ କରାଯିବ । ନୂଆ ନୂଆ ଜିନିଷ ଉଦଭାବନା କରିବା ସହ ଦେଶକୁ ସଶକ୍ତ କରିବା ।