ପରଲୋକରେ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

Top Storise ରାଜ୍ୟ

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ କବି ସମାଲୋଚକ ତଥା ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ଏକାଧାରରେ ସେ ଜଣେ କବି ଲେଖକ ଓ ସମୀକ୍ଷକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ପତ୍ନୀ ଓ ଦୁଇ ପୁଅ ତାଙ୍କ ପାଖରେ ଉପସ୍ଥିତ ଥିଲେ ।

ସ୍ୱର୍ଗତଃ ପଟ୍ଟନାୟକ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ୨୦ରୁ ଅଧିକ ବହି ଲେଖିଛନ୍ତି । ନିଜର ସାହିତ୍ୟ କୃତି ପାଇଁ ସେ ୨୦୧୨ ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୮ ରେ ଉତ୍କଳ ସାହିତ୍ୟ ସମାଜ ଦ୍ୱାରା ପ୍ରତିଷ୍ଠିତ ‘ଗଙ୍ଗାଧର ମେହେର କବିତା ସମ୍ମାନ ’ ସମେତ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ । ‘ଆହେ ସାହୁକାର , ମୋର ଚାଉଳ କେଜିଏ ଦରକାର’ ଏବଂ ‘ଦୁଲୁ ମିଆଁ ପ୍ରତି କୁକୁଡ଼ାର ଉକ୍ତି ‘ ତାଙ୍କର ବହୁ ଚର୍ଚ୍ଚିତ କବିତା ଥିଲା

୧୯୭୫ ରେ ଏକାଡେମିକ୍ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ପଟ୍ଟନାୟକ ବିଜେବି କଲେଜ ସମେତ ବିଭିନ୍ନ ସରକାରୀ କଲେଜରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଏବଂ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନର ନିର୍ଦ୍ଦେଶକ ଥିଲେ। ଏହା ସହ ଓଡ଼ିଆ ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ମୁଖ୍ୟ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ନବେ ଦଶକର ଶେଷ ଭାଗରେ ଇଷ୍ଟର୍ଣ୍ଣ ମିଡିଆର ଦୈନିକ ଇଂରାଜୀ ଖବର କାଗଜ ‘ସନ୍ ଟାଇମ୍ସ’ରେ ମଧ୍ୟ ଜଡିତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *