ହେତୁବାଦୀଙ୍କୁ ଦଣ୍ଡ ଦିଅ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ

Top Storise ରାଜ୍ୟ

ପୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଥିରେ ଦାବି କରାଯାଇଛି। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନାକୁ ହେତୁବାଦୀମାନେ କୁଠାରାଘାତ କରିଥିବା ଏଥିରେ ଅଭିଯୋଗ ହୋଇଛି। ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର ଭକ୍ତଙ୍କ ଭାବନାରେ ଆଞ୍ଚ ଆଣିଛି। ସେହିପରି ଜଗନ୍ନାଥଙ୍କ ପ୍ରସାଦକୁ ନେଇ ମଧ୍ୟ ଔଦ୍ଧତ୍ୟର ସୀମା ଟପି ହେତୁବାଦୀମାନେ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଗତ ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦିନ କିଛି ବ୍ୟକ୍ତି ଶହ ଶହ ବର୍ଷର ଚିରାଚରିତ ପ୍ରଥା ଓ ପରମ୍ପରାକୁ ବିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନା ଓ ବିଶ୍ୱାସକୁ କୁଠାରଘାତ କରିଛନ୍ତି। ତଥାକଥିତ ହେତୁବାଦୀମାନେ ଏହା ପରେ ପୁରୁଷୋତ୍ତମ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର କରି ବୟାନ ଦେଇଛନ୍ତି। ଶ୍ରୀଜଗନ୍ନାଥଙ୍କୁ ଭାତ ଏବଂ ଚିକେନ୍ ଭୋଗ ଲଗେଇବାକୁ କହି ସେମାନେ ଔଦ୍ଧତ୍ୟର ସମସ୍ତ ସୀମା ଲଂଘନ କରିଛନ୍ତି। ହେତୁବାଦୀମାନେ ସେମାନଙ୍କର ବିଶ୍ୱାସକୁ ନେଇ ବଞ୍ଚିବା ତାଙ୍କର ଅଧିକାର। କିନ୍ତୁ କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ଓ ଆସ୍ଥାକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ହେତୁବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ସେ ସରକାରଙ୍କୁ ଚେତାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *