ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ଶୁଣାଣି

Top Storise ରାଜ୍ୟ

କଟକ : ପୁରୀ ବଗଲା ଧର୍ମଶାଳା ବିବାଦ ମାମଲାରେ ହାଇକୋର୍ଟରେ ହୋଇଛି ଶୁଣାଣି । ଅମୃତ ମଣୋହି ଜମିର ବିକ୍ରି ଓ ନିର୍ମାଣ କାର୍ଯ୍ୟ ଅଦାଲତଙ୍କ ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।

ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ଅନ୍ତରୀଣ ଆବେଦନ ରୁଜୁ ହୋଇଥିବା ବେଳେ, ଏହାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ, ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଯୁକ୍ତି ବାଢ଼ିଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ସାବକରେ ଏହି ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଥିବା ବେଳେ, ହାଲ୍ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ।

୧୯୫୫ ମସିହାରେ ଶ୍ରୀମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି । ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ । ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଅନ୍ୟ ଏକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ଆସନ୍ତା ଡିସେମ୍ବର ୧୬ ତାରିଖରେ ଉଭୟ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *