ଭୁଲ ରକ୍ତ ଦେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Top Storise ରାଜ୍ୟ

ରାଉରକେଲା: ଭୁଲ ରକ୍ତ ଦେବା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ।‘O’ ପଜିଟିଭ ପରିବର୍ତ୍ତେ ଦିଆଯାଇଥିଲା ‘B’ ପଜିଟିଭ୍ ରକ୍ତ। ଏନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ନାମ ସରୋଜିନୀ କାକ୍। ସେ କୁତ୍ରା ଥାନା ଅନ୍ତର୍ଗତ ବିରଂଗାଟୋଲି ପଞ୍ଚାୟତର ବୁଢ଼ାକାଟ ଗାଁର ବାସିନ୍ଦା।

ସରୋଜିନୀ ରକ୍ତ ହୀନତା ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ କୁତ୍ରା ଡ଼ାକ୍ତରଖାନାରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଇଞ୍ଜେକସନ୍ ଦେଇ ରାଉରକେଲାର ସରକାରୀ ହସ୍ପିଟାଲକୁ ପଠାଇଥିଲେ। ଗତ ୧୧ତାରିଖ ରାତିରେ ରାଉରକେଲା ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ରକ୍ତ ଦିଆଯିବ ବୋଲି ଡ଼ାକ୍ତର କହିଥିଲେ। ରକ୍ତ ନେବା ପରେ ସେ ଆହୁରି ଅଧିକ ଅସୁସ୍ଥ ହୋଇପଡ଼ିଥିଲେ।

ରକ୍ତ ଦିଆଚାଲିଥିବା ସମୟରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସରୋଜିନୀଙ୍କ ଭଉଣୀ ନର୍ସ ଓ ଡ଼ାକ୍ତରଙ୍କୁ ବାରମ୍ବାର ଡ଼ାକିଥିଲେ। ମାତ୍ର ନର୍ସ ବିଳମ୍ବରେ ଆସିବା ଅଭିଯୋଗ ହୋଇଛି। ଚିକିତ୍ସା ହେଉଥିବା ଅବସ୍ଥାରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିଲା। ତେବେ ସରୋଜିନୀଙ୍କୁ ଭୁଲ ରକ୍ତ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ବର୍ଗ।

ଚିକିତ୍ସା ଅବହେଳା ବାବଦରେ ଆଜି ହସ୍ପିଟାଲ ସମ୍ମୁଖରେ ଧାରଣା ହୋଇଥିଲା। ଏନେଇ ସରକାରୀ ଡ଼ାକ୍ତରଖାନାର ସୁପରିଣ୍ଟେଣ୍ଡେଣ୍ଟ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏକ ଡ଼ାକ୍ତରୀ ଟିମ୍ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଚିକିିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ବାବଦରେ ସରୋଜିନୀଙ୍କ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଏତଲା ଦିଆଯାଇଛି।

Leave a Reply

Your email address will not be published. Required fields are marked *