ପ୍ରତିଦିନ ବିଳମ୍ୱରେ ଆସୁଛନ୍ତି ସାର୍‌ ଓ ଦିଦି! ତାଲା ପକାଇଦେଲେ ଗାଁ ଲୋକେ

Top Storise ରାଜ୍ୟ

ବଣାଇ: ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ବିଳମ୍ୱରେ ସ୍କୁଲ ଆସୁଛନ୍ତି ସାର୍‌ ଓ ଦିଦି! ସକାଳ ସାଢ଼େ ୧୦ଟା ପରେ ଖୋଲୁଛି ସ୍କୁଲ୍‌ ଗେଟ୍‌। ଯେଉଁଥିପାଇଁ ଆଜି ତାତିଲେ ଅଭିଭାବକ। ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କଲେ। ଏପରି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

କେନାଭେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି ୧୬୮ ଛାତ୍ରଛାତ୍ରୀ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ ୩ ଜଣ ଅଛନ୍ତି। ହେଲେ ଦୁଃଖର ବିଷୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଠିକ୍‌ ସମୟରେ ସ୍କୁଲ ଆସୁନାହାନ୍ତି! ଅଧିକାଂଶ ସମୟରେ ସକାଳ ସାଢ଼େ ୧୦ଟା ପରେ ସ୍କୁଲ ଆସୁଥିବା ଦେଖିବା ଅଭିଯୋଗ ହୋଇଛି। ଶନିବାର ସକାଳ ସ୍କୁଲ୍‌ ଖୋଲିବା କଥା ନକହିବା ଭଲ୍‌। ବିଳମ୍ୱରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲ ଆସୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏପରିକି ତାଗିଦ ମଧ୍ୟ କରିଥିଲେ। ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିପ୍ରତି ତିଳେ ମାତ୍ର କର୍ଣ୍ଣପାତ କରିନଥିଲେ।

ଅନ୍ୟପକ୍ଷରେ ଗେଟ୍‌ରେ ତାଲା ପଡ଼ିଥିବାରୁ ସ୍କୁଲ ଆସୁଥିବା ପିଲାମାନେ ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରୁଛନ୍ତି। ଆଜି ତାଲା ପଡ଼ିଥିବାରୁ ବହିବସ୍ତାନୀ ଧରି ଆସିଥିବା ପିଲାମାନେ ସ୍କୁଲ ଗେଟ୍‌ ଆଗରେ ଖେଳୁଥିଲେ। ସେହି ସମୟରେ ବାଇକ୍‌ ଧକ୍କାରେ ଜଣେ ଛାତ୍ରୀ ଆହତ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦିନ ପ୍ରାୟ ୧୦ଟା ୧୫ରୁ ୨୦ ହୋଇଥିଲେ ମଧ୍ୟ କ’ଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସ୍କୁଲ ଆସିନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ଅଭିଭାବକ। ଏହା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ କରିଥିଲେ। ହୋ-ହଲ୍ଲା ଭିତରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପହଞ୍ଚିଥିଲେ। ବିଳମ୍ୱ ପାଇଁ ନାନା ବାହାନା କରିଥିଲେ। ଗେଟ୍‌ରେ ତାଲା ପଡ଼ିଥିବାରେ ବାହାରେ ଅପେକ୍ଷ କରିଥିଲେ।

ସ୍କୁଲ୍‌ ଗେଟ୍‌ରେ ତାଲା ପଡ଼ିଥିବା ଖବର ପାଇ ଏବିଇଓ ସଦାନନ୍ଦ ମହାନ୍ତ ସେଠାରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ। ନାନା ପ୍ରଶ୍ନ ପଚାରିଥିଲେ। ତୁରନ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉ ବୋଲି ଦାବି କରିଥିଲେ। ଏବିଇଓ ସଦାନନ୍ଦ ମହାନ୍ତ ଗାଁ ଲୋକଙ୍କୁ ବୁଝାସୁଝା କରିବା ସହିତ ବିଳମ୍ବରେ ଆସୁଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ୭ ଦିନ ଭିତରେ କାର୍ଯ୍ୟନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *