ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍ ପୂର୍ବରୁ ସ୍କୁଲ୍‌ରେ ପହଞ୍ଚିବେ ଶିକ୍ଷକ,ଶିକ୍ଷୟିତ୍ରୀ; ଜାରି ହେଲା ଅନେକ କଟକଣା

Top Storise ଦେଶ- ବିଦେଶ

ଲକ୍ଷ୍ନୌ: ଛାତ୍ରଛାତ୍ରୀ ଆସିବାର ୧୫ ମିନିଟ୍ ପୂର୍ବରୁ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲ୍‌ରେ ପହଞ୍ଚିବେ। ସେହିପରି ସ୍କୁଲ୍‌ ଛୁଟି ହେବାର ୩୦ ମିନିଟ୍‌ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଘରକୁ ଫେରିବେ। ସରକାରୀ ସ୍କୁଲ୍‌ ଗୁଡ଼ିକର ପାଇଁ ଜାରି ହୋଇଛି ଏହି ନିୟମ। ତେବେ କେଉଁଠାରେ ଦିଆଯାଇଛି ଏମିତି କଡ଼ା ନିର୍ଦ୍ଦେଶ? ଏହି ନିର୍ଦ୍ଦେଶ ଦିଆଯାଇଛି ଉତ୍ତର ପ୍ରଦେଶରେ। ପୁଣି ଆଉ କେହି ନୁହେଁ। ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି ଏହି ନିର୍ଦ୍ଦେଶ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଜାରି ହୋଇଛି ନିର୍ଦ୍ଦେଶନାମା।

ରାଜ୍ୟରେ ସରକାରୀ ସ୍କୁଲ୍ ଗୁଡ଼ିକର ସୁପରିଚାଳନା ତଥା ଉନ୍ନତମାନର ଶିକ୍ଷାଦାନ ପାଇଁ ଯୋଗୀ ସରକାର ଏମିତି ଆହୁରି କିଛି ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍‌ର ସବୁ ରେକର୍ଡ ଓ ରେଜିଷ୍ଟରକୁ ଅପ୍‌ଡେଟ୍ ରଖିବା ପାଇଁ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଦିନ ଲେସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ପାଠପଢ଼ା ସମୟରେ ସ୍କୁଲ୍ କର୍ତ୍ତୃପକ୍ଷ ଅନ୍ୟ କୌଣସି ପ୍ରକାର କାର୍ଯ୍ୟକ୍ରମ, ଯେପରିକି- ରାଲି, ପ୍ରଭାତ ଫେରି ଓ ସେମିନାର ଆଦି ଆୟୋଜନ କରିପାରିବେ ନାହିଁ।

ସେହିପରି ବର୍ଷରେ ନିଶ୍ଚିତ ଭାବେ ୨୪୦ ଦିନ ପାଠପଢ଼ା ହେବ। ଏହା ବାଧ୍ୟତାମୂଳକ। ପାଠପଢ଼ା ସମୟ ପରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ଅନ୍ୟାନ୍ୟ ସ୍କୁଲ୍ କାର୍ଯ୍ୟ କରିପାରିବେ। ପାଠପଢ଼ା ସମୟରେ ସେମାନେ ବ୍ୟାଙ୍କ କାମରେ ବା ସ୍କୁଲ୍‌ର ଅନ୍ୟ କୌଣସି କାମରେ ବାହାରକୁ ଯାଇପାରିବେ ନାହିଁ। ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ସପ୍ତାହରେ ଅତିକମ୍‌ରେ ଥରେ ବୈଠକ କରିବାକୁ କୁହାଯାଇଛି। ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଯେପରି ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଠିକ୍ ଭାବେ ପାଳନ କରିବେ ସେଥିପ୍ରତି ନଜର ରଖିବାକୁ ସମସ୍ତ ଜିଲ୍ଲା ବେସିକ୍ ଏଜୁକେସନ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ତଦାରଖ କରି ସରକାରଙ୍କୁ ରିପୋର୍ଟ ଦେବେ।

Leave a Reply

Your email address will not be published. Required fields are marked *