ନୂଆଦିଲ୍ଲୀ : କିଶୋରମାନେ କୋଭାକ୍ସିନ ଟିକା ନେବା ପରେ ନିଅନ୍ତୁ ନାହିଁ କୌଣସି ପେନ୍ କିଲର । ଏଭଳି ପରାମର୍ଶ ଦେଇଛି ଭାରତ ବାୟୋଟେକ । ୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ବର୍ତ୍ତମାନ କୋଭାକ୍ସିନ ଦିଆଯାଉଛି । ହେଲେ ଅନେକ ଟିକାଦାନ କେନ୍ଦ୍ର ପକ୍ଷରୁ ପାରାସିଟାମଲ ୫୦୦ ମିଲିଗ୍ରାମ ଟାବଲେଟ ନେବାକୁ ପରାମର୍ଶ ଦିଆଯାଉଛି । ଏହି ସୂଚନା ପାଇବା ପରେ ପ୍ରତିକ୍ରିୟା ରଖିଛି ଭାରତ ବାୟୋଟେକ ।
କୋଭାକ୍ସିନ ନେଇଥିବା ପିଲାଙ୍କୁ ଏହି ସବୁ ଔଷଧ ଦେବା ଠିକ୍ ନୁହେଁ ବୋଲି କମ୍ପାନି କହିଛି । ୩୦ ହଜାର ପିଲାଙ୍କ ନିକଟରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୦ରୁ ୨୦ ପ୍ରତିଶତ ପିଲାଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ଏହା ସାମାନ୍ୟ ଓ ଦିନେ ଦୁଇଦିନ ପରେ ପିଲାମାନେ ସାଧାରଣ ଅବସ୍ଥାକୁ ଫେରିଥିଲେ । ଯେଉଁମାନେ ଟିକା ନେବା ପରେ ଅସୁସ୍ଥ ଅନୁଭବ କରୁଛନ୍ତି, ସେମାନେ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦିଆଯାଇଛି ।