ତାଳଚେର: ହାତୀ ଭୟରେ ଇଟା ଭାଟିରେ ଶୋଇଥିଲେ। ଇଟାଭାଟି ନେଇଗଲା ଜୀବନ। ମାତ୍ର କେଇ ସମୟରେ ଚାଲିଗଲା ୩ ଜୀବନ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ୍ କମଳାଙ୍ଗଠାରେ ଦେଖା ଦେଇଛି। ବେଆଇନ୍ ଇଟାଭାଟିରେ ପୋଡ଼ି ହୋଇ ୩ଜଣ ଶ୍ରମିକ ଆଜି ପ୍ରାଣ ହରାଇଛନ୍ତି। ଏଥିସହିତ ଆଉ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ହାତୀ ଆକ୍ରମଣ ଭୟରେ ଇଟାଭାଟି ଉପରେ ଶୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସାଗରା ଥାନା ଲୋରାକୋଟ ଗାଁର ମେଘନାଦ ଭୋଇ (୫୦), ପତ୍ନୀ ନିରା ଭୋଇ (୪୫), ବଡ଼ ପୁଅ ଶିବଦାସ ଭୋଇ (୧୮), ସାନ ପୁଅ ଜିତୁ ଭୋଇ (୭) ଓ ବିବାହିତ ଝିଅ ପୂଜା ସାରଥି (୨୦) କାମ ସନ୍ଧାନରେ ଓଡ଼ିଶା ଚାଲି ଆସିଥିଲେ। କଣ୍ଟାବଣିଆ ଥାନା ଢେଙ୍କାନାଳ-ତାଳଚେର ସୀମା କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଥିବା ବିନୟ ସାହୁଙ୍କ ବେଆଇନ୍ ଇଟାଭାଟିରେ ସମସ୍ତେ ଗତ ୫ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ଗଲାକାଲି ରାତିରେ କାମ ସାରିବା ପରେ ଖାଇପିଇ ମେଘନାଦ, ନିରା, ଶିବଦାସ ଓ ଜିତୁ ଇଟାଭାଟି ଉପରେ ଯାଇ ଶୋଇଥିଲେ। ଭାଟିରେ ନିଆଁ ଲାଗିଥିଲେ ବି ହାତୀ ଦାଉରୁ ବଞ୍ଚିବା ପାଇଁ ସେମାନେ ଭାଟି ଉପରେ ଶୋଇଥିବା ଅନ୍ୟ ଶ୍ରମିକ କହିଛନ୍ତି। ବିଳମ୍ବିତ ରାତିରେ ଭାଟିରେ ନିଆଁ ଜଳି ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ନିଦରେ ଶୋଇଥିବା ବାପ, ମା’ ଓ ୨ ପୁଅ ଶ୍ବାସରୁଦ୍ଧ ହୋଇ ପଡ଼ିଥିଲେ। ରାତି ପାହିଲା ବେଳକୁ ଭାଟିରୁ ଧୂଆଁ ବାହାରୁଥିଲା ବେଳେ ତା’ ଉପରେ ଶୋଇଥିବା ୪ଜଣ ଯାକଙ୍କୁ ଡାକିଥିଲେ ବି ଉତ୍ତର ଦେଇ ନଥିଲେ। ଫଳରେ ଅନ୍ୟ ଶ୍ରମିକମାନେ ଭାଟି ଉପରକୁ ଯାଇ ଦେଖିଲା ବେଳକୁ ବାପା ମେଘନାଦ, ମା’ ନିରା ଓ ପୁଅ ଜିତୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ଶିବଦାସଙ୍କୁ ଲୋକେ ଉଦ୍ଧାର କରି ତାଳଚେରର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ।
ଅନ୍ୟପଟେ ପୁଲିସ ଆସିବା ଆଗରୁ ମୃତଦେହକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣାସ୍ଥଳରୁ ତାଳଚେର ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ମୃତକଙ୍କ ଝିଅ ପୂଜା ଅଭିଯୋଗ କରିଛନ୍ତି। ଖବର ପାଇ ହିନ୍ଦୋଳ ଏସଡିପିଓ ଡି.ଆର୍. ସେଠୀ, କଣ୍ଟାବଣିଆ ଆଇଆଇସି ତୁଳସୀ ଭୂୟାଁ ସଦଳବଳେ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେଠାରେ ମୃତାହତ ନଥିବାରୁ ସେମାନେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ। ଇଟାଭାଟି ମାଲିକ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ୧୬ ତାରିଖରେ ଏହି ତହସିଲ୍ ଅଧୀନ ମାନପୁରଠାରେ ବ୍ରାହ୍ମଣୀ ନଦୀପଠାରେ ଗଢ଼ି ଉଠିଥିବା ବେଆଇନ୍ ଇଟାଭାଟିରେ ଜେନେରେଟର୍ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୨ଜଣ ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ହୋଇଥିଲେ। ‘ସମ୍ବାଦ’ରେ ଏନେଇ ନିୟମିତ ଖବର ପ୍ରକାଶ ପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓଡ଼ାପଡ଼ା ତହସିଲ ପକ୍ଷରୁ ଜେସିବି ଲଗାଇ ମାନପୁର, କମଳାଙ୍ଗ ଓ ମଙ୍ଗଳପୁର ଅଞ୍ଚଳରେ ଥିବା ବେଆଇନ୍ ଇଟାଭାଟିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। କିନ୍ତୁ ଏହି ଇଟାଭାଟି ଜନବସତିଠାରୁ ଅନେକ ଦୂର ଏକ ନିକାଞ୍ଚନ ସ୍ଥାନ ତଥା ତାଳଚେର ସୀମାକୁ ଲାଗି ରହିଥିବାରୁ ତାହା କାହା ନଜରକୁ ଆସି ନଥିବା କୁହାଯାଉଛି।

