ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ, ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ !

Top Storise ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ତଥା ରାଜ୍ୟର ବିଭିନ୍ନ ସହରରେ ବଢୁଛି ଗଞ୍ଜେଇ ଚୋରା ଚାଲାଣକାରୀ ଏବଂ ବ୍ରାଉନ୍ ସୁଗାର ମାଫିଆଙ୍କ ରାଜ୍ । ଏହି ପରିପ୍ରେକ୍ଷୀରେ କେତେବେଳେ ନିରୀହ ଜନତାଙ୍କ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ଏହି ସାନୁ ଘଟଣାକୁ ବିରୋଧ କରୁଥିବା ଲୋକଙ୍କ ଉପରେ ହେଉଛି ଖୋଲା ଆକ୍ରମଣ। ରାଜ୍ୟରେ ପ୍ରତି ଦ୍ୱିତୀୟ ଦିନରେ ନିଶା କାରବାର ଜନିତ ସାମଗ୍ରୀ ଜବତ ହେବାରେ ଲାଗିଛି । ଏଥିରୁ ଜଣାପଡୁଛି ଯେ ଓଡିଶା ମାଫିଆଙ୍କ ପାଇଁ ଏକ ପ୍ରକାରର ସୁରକ୍ଷିତ ସ୍ଥାନ ପାଲଟିବାରେ ଲାଗିଛି।

ଓଡିଶା ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ ଅଧିକାରୀମାନେ ଚଳିତ ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ 83 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ସେହିଭଳି ଗତ ଆର୍ଥିକ ବର୍ଷର ୨୦୨୧- ୨୨ର ସମାନ ଅବଧିରେ ଏଭଳି ପଦାର୍ଥ ଜବତ କ୍ଷେତ୍ରରେ ୧୧୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଏପ୍ରିଲରୁ ଅଗଷ୍ଟ ୨୦୨୧ ମଧ୍ୟରେ 39.49 କୋଟି ଟଙ୍କା ମୂଲ୍ୟର NDPS ସାମଗ୍ରୀ ଜବତ କରାଯାଇଛି।

ସେପଟେ, ଓଡିଶା ପୋଲିସ ଡ୍ରଗ୍ ମାଫିଆଙ୍କ ବେଆଇନ ଘର ଭାଙ୍ଗିବା ଆରମ୍ଭ କରିଛି। ପୋଲିସ ଶନିବାର ଦିନ ଡ୍ରଗ୍ସ ବ୍ୟବସାୟୀ ତଥା ହତ୍ୟା ମାମଲାରେ ଅଭିଯୁକ୍ତ ରଞ୍ଜୁ ନାୟକଙ୍କ ଘରକୁ ମାଟିରେ ମିଶାଇଛି। ଡ୍ରଗ୍ ବେପାରୀ ରଞ୍ଜୁ ଏହି ଗୃହକୁ ବେଆଇନ ଭାବେ ନିର୍ମାଣ କରି ଡ୍ରଗ୍ କାରବାରରେ ବ୍ୟବହାର କରୁଥିଲା। ଏହାପୂର୍ବରୁ ପୋଲିସ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ବୁଲ୍ଡୋଜର ଚଳାଇଥିଲା। ଏହା ବ୍ୟତୀତ ଡ୍ରଗ୍ ମାଫିଆଙ୍କ ସମ୍ପତ୍ତିକୁ ମଧ୍ୟ ପୋଲିସ ବହୁମାତ୍ରାରେ ଜବତ କରିଛି। ଅନ୍ୟପକ୍ଷେ ରାଜଧାନୀରେ ନିଶାକାରବାର ରୋକ ପାଇଁ ଅପରେସନ୍ ହ୍ୱାଇଟ ସ୍ପାଇଡର ଆରମ୍ଭ କରାଯାଇଛି। ଏହି ଅପରେସନ ଅଧୀନରେ ପ୍ରାୟ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଡ୍ରଗ୍ସ ଜବତ କରାଯାଉଛି ଏବଂ ଗିରଫ ସଂଖ୍ୟାର ବୃଦ୍ଧି ଘଟୁଛି । ତେବେ ଇତି ମଧ୍ୟରେ ରାଜ୍ୟରେ ନିଶାକାରବାର କ୍ଷେତ୍ରରେ କେବେ ରୋକ ଲାଗୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *