ପୁରୀ: ପୁରୀରେ ଆଜି ଲୋକାର୍ପିତ ହେଲା ସ୍ୱର୍ଗରଥ । ସ୍ୱର୍ଗରଥକୁ ଲୋକାର୍ପିତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପୁରୀ ପୌରାଞ୍ଚଳ ଓ ପୌରାଞ୍ଚଳ ସୀମାର ୧୦କିଲୋମିଟର ମଧ୍ୟରେ ଏହି ସେବା ଉପଲବ୍ଧ ହେବ। ମୃତଦେହକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଆଣିବା ନିମନ୍ତେ ଏହା ବାହାକଭାବେ କାର୍ଯ୍ୟ କରିବ। ପୌରାଞ୍ଚଳ ମଧ୍ୟରେ ସାତ ଶହ ଓ ପୌରାଞ୍ଚଳ ସୀମାର ୧୦ କିଲୋମିଟର ମଧ୍ୟରେ ୧୨ଶହ ଟଙ୍କା ଦେବାକୁ ହେବ। ଏଥିନିମନ୍ତେ ୦୬୭୫୨-୨୯୧୨୯୧ନମ୍ବରକୁ ଫୋନ୍ କରି ଏହି ସେବା ପାଇପାରିବେ।
ଓଏମସି ପକ୍ଷରୁ ଏହି ଗାଡ଼ି ଯୋଗାଇଦିଆଯାଇଛି। ଏହାଦ୍ୱାରା ପୁରୀ ପୌରାଞ୍ଚଳର ବାସିନ୍ଦାମାନେ ଏହି ସବୁଦିନିଆ ସେବା ପାଇପାରିବେ। ଜିଲ୍ଲାପାଳ ମୃତଦେହ ସତ୍କାର କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଦେଇଥିବା ସତ୍କାର ସେବକ ଅଭୟ ନାୟକ, କୈଳାଶ ନାୟକ, ଗଙ୍ଗୁ ନାୟକଙ୍କ ସମେତ କନିଷ୍ଠ ସହାୟକ, ସୁରକ୍ଷା ଓ ପରିମଳ ସେବକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଜିଲ୍ଲାପାଳ ଶ୍ରୀ ବର୍ମା ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଜାରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ଭବତାରଣ ସାହୁ, ସ୍ୱର୍ଗଦ୍ୱାର ପରିଚାଳନା କମିଟି ସିଦ୍ଧାର୍ଥ ରାୟ, କଟକି ମଠ ମହନ୍ତ ବିଜୟ ନାରାୟଣ ରାମାନୁଜ ଦାସଗୁରୁ, ସ୍ୱର୍ଗଦ୍ୱାର ନିୟୋଜିତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।