ଭୁବନେଶ୍ୱର: ମା ଗୋଜବାୟାଣୀଙ୍କ ପୀଠକୁ ମିଳୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା । ୫ଟି ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଦ୍ୱାରା ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନୟନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଲେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା । ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟର ଏକ ପ୍ରମୁଖ ଦେବୀ ପୀଠ ତଥା ଶ୍ରଦ୍ଧାଳୁଙ୍କ ଆସ୍ଥା ବିଶ୍ୱାସର କେନ୍ଦ୍ର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମା ଗୋଜବାୟାଣୀ ପୀଠ । ଏହି ପୀଠକୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତ ଓ ପର୍ଯ୍ୟଟକ ଆସୁଥିବାବେଳେ ଆଜି ପର୍ଯ୍ୟନ୍ତ ସରକାରୀଭାବେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିନାହିଁ ।
ଚଣ୍ଡିଖୋଲ-ପାରାଦ୍ୱୀପ ଏକ୍ସପ୍ରେସ ହାଇୱେର କାନପୁର ଛକରୁ ବାଘଡ଼ିଆସ୍ଥିତ ମା’ଙ୍କ ପୀଠ ପର୍ଯ୍ୟନ୍ତ ୩କିମି ରାସ୍ତାରେ ସୋଲାର ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥାର ଆବଶ୍ୟକତା ରହିଛି । ପୀଠର ମୁଖ୍ୟ ଦ୍ୱାର ସାମ୍ନାରେ ନିର୍ମାଣ କରାଯାଇଥିବା ପାର୍କଟି ଦୀର୍ଘଦିନରୁ ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ଏହାକୁ ଏକ ପୂର୍ଣ୍ଣାଙ୍ଗ ଉଦ୍ୟାନରେ ପରିଣତ କରାଯିବା ଉଚିତ୍ । ଦୋକାନ ଘରଗୁଡ଼ିକ ଅଧା ନିର୍ମାଣ ହୋଇ ବିପଦସଙ୍କୁଳଭାବେ ପଡ଼ିଛି । ପୁରୁଣା ଆଜବେଷ୍ଟସ ଘରେ ଚାଲିଥିବା ଏକାଧିକ ରୋଷେଇଶାଳ ଓ ସଂଲଗ୍ନ ଡ଼ାଇନିଂ ହଲକୁ ପୁନଃନିର୍ମାଣ କରାଯାଇ ଅଧିକ ସ୍ଥାନରେ କଂକ୍ରିଟ ଛାତ ଓ ଟାଇଲ ଫ୍ଲୋରିଂ ଘରରେ ପରିଣତ କରାଯିବା ଦରକାର । ଏହି ସ୍ଥାନରେ ସମସ୍ତ ସୁବିଧା ଥାଇ ୨ମହଲା ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପ ବା କମ୍ୟୁନିଟି ହଲ ନିର୍ମାଣ କରାଯାଉ ।
ଭକ୍ତ ଓ ପର୍ଯ୍ୟଟକ ବିଶ୍ରାମ ନେବା ପାଇଁ ଓଟିଡ଼ିସି ମାଧ୍ୟମରେ ଏକ ଯାତ୍ରୀ ନିବାସ କରାଗଲେ ସୁଲଭ ମୂଲ୍ୟରେ ଓ ସୁରକ୍ଷିତ ରହଣୀ ସୁବିଧା ପାଇପାରିବେ । ପୀଠର ବିଭିନ୍ନ ଦିଗରେ ଥିବା ସରକାରୀ ଓ ଆବଶ୍ୟକସ୍ଥଳେ ବେସରକାରୀ ଜମି ଅଧିଗ୍ରହଣ କରାଯାଇ ସମସ୍ତ ପାଶ୍ୱର୍ରେ ପାଚେରୀ କାନ୍ଥ ନିର୍ମାଣକୁ ସମ୍ପୂର୍ଣ୍ଣ କରାଯାଉ । ପାର୍କିଂ ସ୍ଥାନ ନିର୍ମାଣ କରାଯିବା ଉଚିତ୍ । ପ୍ରତିଦିନ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ପାରାଦ୍ୱୀପରୁ ପୀଠ ପର୍ଯ୍ୟନ୍ତ ଓଏସଆରଟିସି ମାଧ୍ୟମରେ ସରକାରୀ ବା ବେସରକାରୀ ବସ ବା ଟାଉନ ବସ ଚଳାଚଳ ଆରମ୍ଭ ହେଉ ।
ମା ଗୋଜବାୟାଣୀ ପୀଠ ପରିଚାଳନା କିମଟି ବା ଟ୍ରଷ୍ଟକୁ ଅଧିକ ଶକ୍ତିଶାଳୀ କରାଯିବା ସହ ସ୍ୱତନ୍ତ୍ର ଅର୍ଥ ବ୍ୟୟବରାଦ କରାଯାଉ । ଦାବି ଉପସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ, ଓଡ଼ିଶା, କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ନିକଟରେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ।