ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ

Top Storise ରାଜ୍ୟ

ଭୁବନେଶ୍ବର : ଆସନ୍ତାକାଲି ଚଳାଚଳ କରିବ ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକକୁ ଶୁଭାରମ୍ଭ କରିବେ ।

ଏହି ଅବସରରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଅନନ୍ତ ନାରାୟଣ ଜେନା, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ରାଜେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ରାଉତ, ମକରନ୍ଦ ମୁଦୁଲି, ପ୍ରଭୁ ଜାନୀ ପ୍ରମୁଖ ଭୁବନେଶ୍ବର ରେଳ ଷ୍ଟେସନରେ ସମ୍ମାନିତ ଅତିଥି ଭାବରେ ଯୋଗଦେବେ ।

ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ କୋଚ ସହିତ ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । ୦୮୪୪୫/୦୮୪୪୬ ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସ ସେପ୍ଟେମ୍ବର ୧୦ ତାରିଖରୁ ଭୁବନେଶ୍ବରରୁ ଏବଂ ସେପ୍ଟେମ୍ବର ୧୧ ତାରିଖରୁ ଜଗଦଲପୁରରୁ ଏଲଏଚବି କୋଚ୍ ସହିତ ଯାତାୟତ କରିବ ।

ସ୍ପେଶାଲ୍ ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ପୂର୍ବଭଳି ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଚଳାଚଳ କରିବ । ଏବଂ ଏହାର ଗଠନରେ କେବଳ ପାରମ୍ପରିକ କୋଚ ଗୁଡ଼ିକୁ ବଦଳାଇ ଏଲଏଚବି କୋଚ୍ ଦ୍ୱାରା ଚଳାଚଳ କରିବ । ଏଲ.ଏଚ.ବି. କୋଚର ଅନେକ ଗୁଡିଏ ବୈଶିଷ୍ଟତା ରହିଛି । ଏହା ଆଣ୍ଟି ଟେଲିସ୍କୋପିକ । ଦ୍ୱୈତ ବଫର ପ୍ରଣାଳୀ ପରିବର୍ତ୍ତେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ଦୁର୍ଘଟଣା ସମୟରେ କୋଚ ଉପରେ କୋଚ ଚଢି ନଯାଇ ପାଖାପାଖି ହୋଇ ରହିଯାଏ । ଏବଂ କୋଚ ଗୁଡିକ ପୂର୍ବ କୋଚ ଭଳି ଓଲଟି ଯାଇନଥାଏ । ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ଅଟେ ।

Leave a Reply

Your email address will not be published. Required fields are marked *