ଆଡିଲେଡ: ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି। ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ। ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ। ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଯାଇଛି।
ଏବେ ଇଂଲଣ୍ଡ ରବିବାର ପାକିସ୍ତାନ ବିପକ୍ଷରେ ଟ୍ରଫି ପାଇଁ ଟକ୍କର କରିବ। ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ଥିଲେ। ପାକିସ୍ତାନ ପ୍ରତିପକ୍ଷ ଜିମ୍ବାୱେ ଓ ଇଂଲଣ୍ଡ ସୁପର ୧୨ରେ ଆୟର୍ଲ୍ୟାଣ୍ତ ଠାରୁ ହାରିଥିଲା। କିନ୍ତୁ ଏବେ ଦୁଇ ଦଳ ଫାଇନାଲରେ ପହଞ୍ଚିବା ସହ ଟ୍ରଫି ପାଇଁ ମୁହାଁମୁହିଁ ହେବେ। ପାକିସ୍ତା ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ଇଂଲଣ୍ଡ ଆଜି ଭାରତକୁ ହରାଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ। ହେଲେ ତାଙ୍କର ଏହି ଇନିଂସକୁ ବେକାର କରି ଦେଇଛନ୍ତି ଆଲେକ୍ସ ହେଲ୍ସ ଓ ଜୋଶ ବଟଲର। ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପୂରା ମ୍ୟାଚ୍ରେ କମବ୍ୟାକ୍ କରିବାର କୌଣସି ସୁଯୋଗ ଦେଇନାହାନ୍ତି।
ବିଶେଷ କରି ଆଜି ହେଲ୍ସଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି। ଏହାପରେ ମହମ୍ମଦ ଶାମିଙ୍କୁ ଛକା ମାରି ଇଂଲଣ୍ଡର ସ୍କୋରକୁ ୧୫୦ ପାର କରାଇଥିଲେ। ଇଂଲଣ୍ଡର ଓପନିଂ ଯୋଡ଼ିକୁ ଭାଙ୍ଗିବା ପାଇଁ ଅଧିନାୟକ ରୋହିତ ଶର୍ମା ବୋଲିଂରେ ଏକାଧିକ ପରିବର୍ତ୍ତନ କରିଥିଲେ। କିନ୍ତୁ କେହି ବି ସଫଳତା ଦେବେକୁ ସକ୍ଷମ ହୋଇ ନଥିଲେ। ପୂରା ମ୍ୟାଚ୍ରେ ୧୫ତମ ଓଭରରେ ହିଁ ଭାରତ କେବଳ ୨ ରନ ଖର୍ଚ୍ଚ କରିଥିଲା। ଏହି ଓଭରଟି ଅକ୍ଷର ପଟେଲ ପକାଇଥିଲେ। ହେଲେ ବାକି ସବୁ ଓଭରରେ ଇଂଲଣ୍ଡ ୮ରୁ ଅଧିକ ରନ ହାସଲ କରିଥିଲା। ୧୬ତମ ଓଭରର ଶେଷ ବଲରେ ବଟଲର ଚମତ୍କାର ଢଙ୍ଗରେ ଶାମିଙ୍କୁ ଛକା ମାରି ମ୍ୟାଚ୍ ଶେଷ କରିଥିଲେ। ବଟଲର ଶେଷ ଯାଏ ୪୯ ବଲରେ ୮୦ ଓ ହେଲ୍ସ ୪୭ ବଲରେ ୮୬ ରନ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ୧୦ ୱିକେଟରେ ୨୪ ବଲ ପୂର୍ବରୁ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି।