ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ, ନିଷ୍ପତ୍ତି ସାମୟିକ ସ୍ଥଗିତ

Top Storise ରାଜ୍ୟ

ଭୁବନେଶ୍ୱର: ଏବେ ଖୋଲିବନି ପ୍ରାଥମିକ ସ୍କୁଲ । ବଦଳିଲା ନିଷ୍ପତ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖିଛନ୍ତି ସରକାର। ଆସନ୍ତାକାଲିଠୁ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ସରକାର ଘୋଷଣା କରିଥିଲେ । ତେବେ ଗତ ଦୁଇ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦୃଷ୍ଟି ରଖି ଗଣଶିକ୍ଷା ବିଭାଗ ସାମୟିକ ସମୟ ପାଇଁ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି।

ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଘୋଷଣା ପରେ ପଦାଧିକାରୀ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟଜନିତ ସ୍ଥିତି, ଦୁଇ ଦିନରେ କରୋନା ସଂକ୍ରମଣ ବୃଦ୍ଧି ଓ ପଦାଧିକାରୀଙ୍କ ରିପୋର୍ଟ ଆଧାରରେ ପିଲାମାନଙ୍କର ବୃହତ୍ତର ସ୍ୱାସ୍ଥ୍ୟଗତ ଦିଗକୁ ଦୃଷ୍ଟିରେ ରଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି ।

ଜାନୁଆରୀ ୩ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଥିଲେ । କରୋନା କେସ୍ ବଢୁଥିବାରୁ ନିଷ୍ପତ୍ତିରୁ ପୁନର୍ବିଚାର ପାଇଁ ଦାବି ହେଉଥିଲା । ଏହାଭିତରେ କାଲିଠୁ ୨୩ ହଜାର ପ୍ରାଥମିକ ସ୍କୁଲ ଖୋଲିବା ନେଇ ବ୍ୟବସ୍ଥା ହୋଇଥିଲା । ୧୦ ତାରିଖରୁ ଖୋଲିବାର ଥିଲା ବାକି ୩ହଜାର ୯୩ ବିଦ୍ୟାଳୟ । ପ୍ରାଥମିକ ସ୍କୁଲ ଏବେ ଖୋଲିବ ନାହିଁ । କିନ୍ତୁ ଷଷ୍ଠ ଶ୍ରେଣୀଠାରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ପୂର୍ବଭଳି ଜାରି ରହିବ ।

ଜାନୁଆରୀ ୫ରୁ ୮ ତାରିଖ ଯାଏ ଦଶମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ଅନୁଷ୍ଠିତ ହେବ । କୋଭିଡ୍ ଗାଇଡଲାଇନ୍ ଅନୁାସେର ସାମାଜିକ ଦୂରତା ରକ୍ଷା କରି ପରୀକ୍ଷା ହେବ ବୋଲି ସ୍ପଷ୍ଟ କରିଛି ଗଣଶିକ୍ଷା ବିଭାଗ ।

Leave a Reply

Your email address will not be published. Required fields are marked *