ପୁରୀ: କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ୱାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଠିନ ପରିଶ୍ରମ ଆଗରେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ। ଏମିତି ଭାବରେ ନିଜ ବାପାଙ୍କ ସ୍ୱପ୍ନ ପୂରା କରିଛନ୍ତି ପ୍ରଜ୍ଞା ପାରମିତା ବେହେରା ।
୫ ବର୍ଷ ତଳୁ ବାପା ଦେଖିଥିବା ସ୍ୱପ୍ନକୁ ଆଜି ପୂରଣ କରିଛି ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଫଟୋଚିତ୍ର ଭେଟି ଦେଇଛନ୍ତି ପ୍ରଜ୍ଞା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବି ସହିତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା କିଛି ଯୋଜନା ସ୍ଥାନ ପାଇଛି।
ଆଜି ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରି ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଥିବାବେଳେ ଏହା ଦେଖିବାକୁ ମିଳିଥିଲା। ସଭା ମଞ୍ଚ ଉପରକୁ ପ୍ରଜ୍ଞା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଣ୍ଡିଆ ମାରିବା ସହ ଏକ ଫଟୋଚିତ୍ର ଉପହାର ଦେଇଥିଲେ । ଏହା ସହ କିଛି ସମୟ ପାଇଁ ଭାବବିହୋଳ ହୋଇ ପଡିଥିଲେ। ବାପାଙ୍କ ସ୍ୱପ୍ନ କରିଛନ୍ତି ବୋଲି ଛଳଛଳ ଆଖିରେ କହିଥିଲେ ପ୍ରଜ୍ଞା ।