ବାରବାଟିରେ ମ୍ୟାଚ ବାତିଲ ନେଇ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

Top Storise ରାଜ୍ୟ

କଟକ: ବାରବାଟି ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ ନାହିଁ । ତେଣୁ ୧୨ ତାରିଖରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମ୍ୟାଚ ବାତିଲ କରାଯାଉ ଦାବି କରି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ମ୍ୟାଚ ବାତିଲ ହେବା ନେଇ ଯେଉଁ ଟିକିଏ ଆଶଙ୍କା ଥିଲା ତାହା ସମ୍ପୂର୍ଣ୍ଣ ଟଳି ଯାଇଛି।

ମ୍ୟାଚ ବେଳେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଆୟୋଜନ ହେବ ସେ ନେଇ ରାଜ୍ୟ ସରକାର ଆଶ୍ୱାସନା ଦେଇଛନ୍ତି। ଆଡଭୋକେଟ ଜେନେରାଲ ଏ ନେଇ ଆଶ୍ୱାସନା ଦେବା ପରେ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆନ୍ତି ବୋଲି ଏକ ଜନ ସ୍ୱାର୍ଥ ମାମଲା ଦାୟର କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ, ଏତେ ବଡ ମ୍ୟାଚର ଆୟୋଜନ ପୂର୍ବରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ନିହାତି ଜରୁରୀ। କିନ୍ତୁ ଓଡ଼ିଶା କ୍ରିକେଟ୍‌ ସଂଘ ଓ ଓଡ଼ିଶା ଅଲିମ୍ପିକ ସଂଘ ପାଖରେ ଏହା ନାହିଁ। ତେଣୁ ମ୍ୟାଚ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ପୁରୁଣା ଢାଞ୍ଚାରେ ଗ୍ୟାଲେରି ନିର୍ମାଣ ହୋଇଥିବାରୁ ଯେକୌଣସି ସମୟରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଧନଜୀବନ ପ୍ରତି ବିପଦ ରହିଛି ବୋଲି ଆବେଦନକାରୀ କହିଥିଲେ।

ଉଲ୍ଲେଖଯୋଗ୍ୟ, ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଅନ୍ ଲାଇନ ଏବଂ ଅଫ ଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ପ୍ରଥମେ ଅନ ଲାଇନ ଟିକେଟ ବିକ୍ରି ହୋଇଥିଲା। ଏହାପରେ ଅଫ୍ ଲାଇନ ଟିକେଟ ବିକ୍ରି ହୋଇଛି। ଅଫ୍ ଲାଇନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଇସା ଦେଇ ଟିକେଟ୍ କିଣିଛନ୍ତି। ବିଦେଶ ଗସ୍ତ ପୂର୍ବରୁ ନବୀନ ବାରବାଟୀ ଯାଇ ଗ୍ୟାଲେରୀରେ ଦର୍ଶକଙ୍କ ସହିତ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *