ନୂଆଦିଲ୍ଲୀ : ଆସନ୍ତାକାଲି ଜାମ୍ମୁ-କାଶ୍ମୀରକୁ ନେଇ ଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ଜାମ୍ମୁ-କାଶ୍ମୀରର ସମସ୍ତ ରାଜନୈତିକ ଦଳର ନେତା ସାମିଲ ହେବେ । ଏ ନେଇ ଦିଲ୍ଲୀରେ ଡେରା ପକାଇଲେଣି ଜାମ୍ମୁ-କାଶ୍ମୀରର ତୁଙ୍ଗ ନେତା । ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା, କଂଗ୍ରେସ ନେତା ଗୁଲାମନବି ଆଜାଦ ଓ ଗୁଲାମ ଅହମ୍ମଦ ମିର ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେହିପରି ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହେବୁବା ମୁଫିତ ମଧ୍ୟ ଦିଲ୍ଲୀରେ ପହଞ୍ଚିବେ । ଏଥିସହ ବିଜେପି ନେତା ନିର୍ମଳ ସିଂ, କୋବିନ୍ଦ୍ର ଗୁପ୍ତା ଓ ରବିନ୍ଦ୍ର ରୈନା ମଧ୍ୟ ସର୍ବଦଳୀୟ ବୈଠକରେ ସାମିଲ ହେବେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଯେଉଁଥିରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେବ । ତେବେ ଏହି ବୈଠକରେ ଗୁପକାର ମେଣ୍ଟର ସମସ୍ତ ନେତା ଧାରା ୩୭୦ ପ୍ରସଙ୍ଗ ସହ ଅନ୍ୟ ପ୍ରସଙ୍ଗ ଉଠାଇବା ନିଶ୍ଚିତ ହୋଇଛି । ଏନେଇ ଗତକାଲି ଗୁପକାର ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଯେଉଁଥିରେ ଆସନ୍ତାକାଲି ହେବାକୁ ଥିବା ସର୍ବଦଳୀୟ ବୈଠକ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ନିଜର ଦାବି ରଖିବେ ସ୍ଥାନୀୟ ନେତା । ଯାହାକୁ ନେଇ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି ଚର୍ଚ୍ଚା ହେଉଛି ।