ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ !

Top Storise ରାଜ୍ୟ

କୋରାପୁଟ:  ଯମ ଯନ୍ତ୍ରଣା ଭୋଗୁଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲୋକେ ! ଏଠାକାର ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ପ୍ରତିଷ୍ଠା କରିଥିଲେ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମେଡିକାଲ କଲେଜ ଓ ହସ୍ପିଟାଲ। ଯାହାକୁ ୫ ବର୍ଷ ବିତିଲା। ହେଲେ ଏଠାରେ ଭିତ୍ତିଭୂମି ନାହିଁ, କି ଯନ୍ତ୍ରପାତି ନାହିଁ। ଆଦିବାସୀ ଓ ଗରିବ ରୋଗୀମାନେ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। କିନ୍ତୁ ପାଠ୍ୟକ୍ରମ ଖୋଲି ଆବେଦନ ପ୍ରକ୍ରିୟା ଚାଲୁରହିଛି। ଏବେବି ସବୁ ପାଠ୍ୟକ୍ରମରେ ନାହାନ୍ତି କୌଣସି ନିୟମିତ ପ୍ରଫେସର। ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ମିଳୁନି। ଅଧିକାଂଶ ରୋଗ ଚିକିତ୍ସା ବିଭାଗରେ ତାଲା ପଡ଼ିଛି। ଏହା ଏକ ରେଫରାଲ ହସ୍ପିଟାଲ ହୋଇଛି। ତେଣୁ ସରକାର ଯେଉଁ ଉଦ୍ଦେଶ୍ୟରେ ଏଠାରେ ମେଡିକାଲ ପ୍ରତିଷ୍ଠା କରିଥିଲେ, ତାହାକୁ ସଫଳ ରୂପାୟନ କରିବାରେ ଫେଲ ମାରିଗଲେ ବୋଲି ଅଭିଯୋଗ ହୋଇଛି। ସେପଟେ ରୋଗୀଙ୍କୁ ଏଠାରେ ଉତ୍ତମ ଚିକିତ୍ସା ଦିଆ ନ ଯାଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି।

ଏଠାରେ ମଞ୍ଜୁର ପ୍ରଫେସର ପଦବୀ ୨୨ ଥିବାବେଳେ ଖାଲି ପଡ଼ିଛି ୬ ପଦବୀ। ସେହିପରି ଆସୋସିଏଟ ପ୍ରଫେସର ପଦବୀ ସଂଖ୍ୟା ୨୮ ଥିବାବେଳେ ଖାଲି ପଡ଼ିଛି ୧୧ ପଦବୀ। ସେହିପରି ସହକାରୀ ପ୍ରଫେସର ପଦବୀ ସଂଖ୍ୟା ୪୭ ରହିଥିବାବେଳେ ଖାଲିପଡ଼ିଛି ୨ ପଦବୀ। ସିନିୟର ରେସିଡେଣ୍ଟ ଡକ୍ଟର ପଦବୀ ସଂଖ୍ୟା ୩୯ ଥିବାବେଳେ ଖାଲି ରହିଛି ୨୬। ସେହିପରି ଜୁନିୟର ରେସିଡେଣ୍ଟ ଡାକ୍ତର ପଦବୀ ସଂଖ୍ୟା ୩୮ ଥିବା ବେଳେ ଖାଲି ପଡ଼ିଛି ୬।

ସେହିପରି ଲ୍ୟାବ ଟେକ୍ନିସିଆନ ପଦବୀ ସଂଖ୍ୟା ୨୭ ଥିବା ବେଳେ ଖାଲି ପଡ଼ିଛି ୧୦। ଇସିଜି ଟେକ୍ନିସିଆନ, ଡେଣ୍ଟାଲ ଟେକ୍ନିନିସିଆନ, ଅଡିଓ ମିଟର ଟେକ୍ନିସିଆନ, ଟିବିଏଚବି, ରିଫ୍ରକଚନାଲିଷ୍ଟ ଓ ସ୍ପିଚ ଥେରାପି ସମେତ ଡାର୍କରୁମ ସହାୟକ ନିମନ୍ତେ ଗୋଟିଏ ଲେଖାଏଁ ପଦବୀ ଥିବା ବେଳେ ଏ ସମସ୍ତ ପଦବୀ ଖାଲି ପଡ଼ିଛି। ହେଲଥ୍ ଏଡୁକେଟର ତିନୋଟି ପଦବୀ ଖାଲି ପଡ଼ିଛି।

ଚଳିତ ବର୍ଷ ଜୁନ୍ ସୁଦ୍ଧା ଏହି ମେଡିକାଲ କଲେଜର ମୋଟ ମଞ୍ଜୁରୀ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ପଦବୀ ସଂଖ୍ୟା ୫୨୪ ଥିବା ବେଳେ ୨୮୪ ପଦବୀ ଖାଲି ପଡ଼ିଛି। ସର୍ବାଧିକ ଷ୍ଟାଫ୍ ନର୍ସ ପଦବୀ ଖାଲି ପଡ଼ିଛି। ଏଥିରେ ମୋଟ ମଞ୍ଜୁରୀ ପଦବୀ ସଂଖ୍ୟା ୩୨୧ ଥିବା ବେଳେ ୧୩୨ଟି ଖାଲି ପଡ଼ିଛି।

ରେଡିଓଲୋଜିଷ୍ଟ ଓ ଅନ୍ୟାନ୍ୟ ଜରୁରୀ ପଦବୀ ପୂରଣ ପାଇଁ ସାଧାରଣ ଲୋକେ ଦାବି କରି ଆସୁଛନ୍ତି। ହେଲେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ କିମ୍ବା ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଗରିବ ଓ ଆଦିବାସୀ ଲୋକମାନେ ଆବଶ୍ୟକ ସ୍ୱାସ୍ଥ୍ୟସେବା ନ ପାଇ ହିନସ୍ତା ହେଉଛନ୍ତି।

ଏଠାରେ ବିଭିନ୍ନ ବିଭାଗର ପରୀକ୍ଷାନିରୀକ୍ଷା ମେସିନ ଅଚଳ ହୋଇଯାଇଛି। ଲାବ୍ରୋଟୋରୀ ନାହିଁ। ଇକୋ ମେସିନ ଚଳାଇବା ପାଇଁ ରେଡିଓଲୋଜିଷ୍ଟ ନାହାନ୍ତି। ଆଞ୍ଜିଓଗ୍ରାମ ତ ଦୂରର କଥା, କ୍ୟାଥ ଲାବ୍ ନାହିଁ। ଏମଆରଆଇ ବ୍ୟବସ୍ଥା ନାହିଁ। ମାମୋଗ୍ରାଫି ଯାହା ଦ୍ଵାରା ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ ହୁଏ, ତାହା ମଧ୍ୟ ଉପଲବ୍ଧ ନାହିଁ। ସାଧାରଣ ରୋଗର ଚିହ୍ନଟ ପାଇଁ ଅଲଟ୍ରାସାଉଣ୍ଡ କରିବା ବ୍ୟବସ୍ଥା ହୋଇପାରିଲା ନାହିଁ। ସେହିପରି କାର୍ଡିଓଲୋଜି ବିଭାଗ(ହୃଦ୍ ରୋଗ) ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ନ୍ୟୁରୋଲୋଜୀ(ସ୍ନାୟୁରୋଗ), ଇଉରୋଲୋଜି(ମୂତ୍ରରୋଗ) ବିଭାଗର ମଧ୍ୟ ସମାନ ଅବସ୍ଥା। ବହୁ ଦାବି ପରେ ନୂଆ ଏଣ୍ଡୋସ୍କୋପି ମେସିନ ଆସିଛି, କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। କର୍ମଚାରୀ ଅଭାବ ଯୋଗୁଁ ବିଭିନ୍ନ ବିଭାଗ ଅଚଳ ରହିଛି।

ଡାକ୍ତରଖାନାକୁ ଆସୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ମୁତାବକ ଚିକିତ୍ସା ନେମନ୍ତେ ଶଯ୍ୟା ନାହିଁ। ତେଣୁ କେଉଁ ରୋଗୀ ଠିଆ ହୋଇ ଚିକିତ୍ସା ହେଉଛି ତ, କିଏ ଡାକ୍ତରଖାନା ବାରଣ୍ଡା ଚଟାଣରେ ପଡ଼ି ଚିକିତ୍ସା ହେଉଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଡାକ୍ତରଙ୍କୁ ରୋଗ ଦେଖାଇବାର ସୁଯୋଗ ମିଳୁଛି। ସେତେବେଳକୁ ରୋଗୀର ଜୀବନ ଉପରେ ବିପଦ ଘନିଭୂତ ହେଉଛି। ସେହିପରି ବହୁ ସମୟ ଧାଡ଼ିରେ ଠିଆ ହେବା ପରେ ରୋଗୀ ପଞ୍ଜିକରଣ ପତ୍ର ମିଳିପାରୁଛି। ତେଣୁ ଏ ସବୁ ଭିତରେ ରୋଗୀର ଅବସ୍ଥା କିପରି ହେଉଥିବ ସହଜରେ ଅନୁମେୟ।

ମଧ୍ୟାହ୍ନ ୧୨ଟା ପରେ ଓପିଡ଼ି ବନ୍ଦ। ଟିକିଏ ବିଳମ୍ବରେ ପହଞ୍ଚିଲେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁନି। ରୋଗୀ ପୁଣି ପରଦିନ ଧାଡ଼ିରେ ଠିଆ ହୋଇ ପାଳି ପଡ଼ିବା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି। କୋରାପୁଟର ଗୁରୁତର ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଦିଆନଯାଇ ନିକଟସ୍ଥ ଆନ୍ଧ୍ରପ୍ରଦେଶର ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଫଳତଃ ସରକାର କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପରେ ରୋଗୀ ସେବାରେ ଉନ୍ନତି ଆସିବା ଲକ୍ଷ୍ୟ ଦିଗଭ୍ରଷ୍ଟ ହୋଇଛି।

ଏ ନେଇ ମେଡିକାଲ ପ୍ରଶାନିକ ଅଧିକାରୀ ମଧୁମିତା ନାୟକ କହିଛନ୍ତି, ପଦବୀ ଖାଲି ପଡ଼ିଥିବା ନେଇ ସରକାରଙ୍କୁ ଅବଗତ କରାଯାଇଛି। ଖାଲି ପଦବୀ ପୂରଣ ନିମନ୍ତେ ମଧ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ଏବେ ସେମାନଙ୍କ ପଦକ୍ଷେପ ଉପରେ ସବୁକିଛି ନିର୍ଭର କରୁଛି।

ଏ ସମ୍ପର୍କରେ ମେଡିକାଲ କଲେଜ ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର କେ.ସି. ବିଶ୍ୱାଳ କହିଛନ୍ତି, ଏପରି ସମସ୍ୟା ଏବେବି ଲାଗି ରହିଛି। କିନ୍ତୁ ଆଗ ଅପେକ୍ଷା ସ୍ଥିତିରେ ସୁଧାର ଆସିଛି। ଆଗକୁ ସମସ୍ୟା ପୂରା ସମାଧାନ ହୋଇଯିବ ବୋଲି ଆଶା ରହିଛି।

ତେଣୁ ଦେଖିବାର କଥା, ସରକାରଙ୍କ ଶୁଭଦୃଷ୍ଟି କେବେ ଏହି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଉପରେ ପଡ଼ିବ ଓ ଏଠାର ଗରିବ ଲୋକଙ୍କୁ ଭଲ ଚିକିତ୍ସା ସୁବିଧା ମିଳିବ।

Leave a Reply

Your email address will not be published. Required fields are marked *