‘ପ୍ରଶ୍ନପତ୍ର ଲିକ୍ ହୋଇନାହିଁ…’: ପରୀକ୍ଷା ବିଭ୍ରାଟ ନେଇ ଗଣଶିକ୍ଷା ମନ୍ତ୍ରୀ ଦେଲେ ପ୍ରତିକ୍ରିୟା

Top Storise ରାଜ୍ୟ

ଭୁବନେଶ୍ୱର: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା କଥା ସମ୍ପୂର୍ଣ୍ଣ ଭୁଲ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହା ପଛର ପ୍ରକୃତ ସତ୍ୟତା ସ୍ପଷ୍ଟ ଭାବରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ଉପରେ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ବରଂ ଏହା ମୁଦ୍ରଣ ଜନିତ ଏକ ତ୍ରୁଟି । ‘ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ‘ବି’ ସେଟ ପ୍ରଶ୍ନ ପତ୍ରରେ କିଛି ତ୍ରୁଟି ରହିଥିବା ସେ ପ୍ରକାଶ କରିଛନ୍ତି । ତେବେ ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ମଧ୍ୟ ସ୍ପଷ୍ଟୀକରଣ ଦିଆସରିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହାବ୍ୟତୀତ ଛାତ୍ରଛାତ୍ରୀମାନଙ୍କୁ ଚିନ୍ତିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଆଗକୁ ଏ ସମ୍ପନ୍ଧରେ କୌଣସି ସମସ୍ୟା ସୃଷ୍ଟ ହେବନି ଏବଂ ମୂଲ୍ୟାଙ୍କନ ସମୟରେ ପିଲାମାନଙ୍କ ସ୍ୱାର୍ଥ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ପରୀକ୍ଷାର୍ଥୀଙ୍କୁ ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।

ଏନେଇ ବୋର୍ଡ ସଭାପତି କହିଛନ୍ତି, କିଛି ସେଣ୍ଟରରେ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି ହୋଇଥିବାର ଅଭିଯୋଗ ଆସିଛି। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ତ୍ରୁଟି ହୋଇଛି। ଏଥିଲାଗି ଛାତ୍ରଛାତ୍ରୀ ବା ଅଭିଭାବକମାନେ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ କିମ୍ବା ଏଠି ପାଇଁ ଆଉଥରେ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ। ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀମାନଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦିଆଯିବ। ବହୁତ କମ୍ ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଏଭଳି ଘଟିଛି। ତେବେ କଣ ପାଇଁ ଏଭଳି ତ୍ରୁଟି ହୋଇଛି, ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *