ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ୫୦୦ କୋଟିରୁ ଅଧିକ ଟଙ୍କା ପଡ଼ି ରହିଛି। ଏହି ଅର୍ଥ ଏଯାବତ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଖର୍ଚ୍ଚ କରି ପାରୁ ନାହାନ୍ତି। ଅନ୍ୟପକ୍ଷରେ ଭିତ୍ତିଭୂମି ବିକାଶ ଲାଗି ଅନ୍ୟ ସଂସ୍ଥାକୁ ସହାୟତା ମାଗୁଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏଥିରୁ ନିବୃତ୍ତ ରହିବାକୁ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ବିଶ୍ୱବିଦ୍ୟାଳୟର ଏଭଳି ଆଚରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର। ଏନେଇ କୁଳପତିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଉଛନ୍ତି। ଅନ୍ୟମାନଙ୍କୁ କାହିଁକି ବିଶ୍ୱବିଦ୍ୟାଳୟ ସହାୟତା ମାଗୁଛି ବୋଲି କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ପ୍ରଶ୍ନ କରିଛନ୍ତି। ଏଭଳି କରିବା ପରିବର୍ତ୍ତେ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଅର୍ଥକୁ ଉପଯୋଗ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
ଭୂତତ୍ୱ ବିଭାଗର ବିକାଶ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଓଡ଼ିଶା ମାଇନିଂ କର୍ପୋରେସନ(ଓଏମ୍ସି)କୁ ଆର୍ଥିକ ସହାୟତା ମଗାଯାଇଥିଲା। ଏକକାଳୀନ ଭାବେ ୧୦ କୋଟି ଏବଂ ଆସନ୍ତା ୧୦ ବର୍ଷ ପାଇଁ ବାର୍ଷିକ ୨ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବ ଉପରେ ଓଏମ୍ସି ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଏ ଦିଗରେ କୌଣସି ଅର୍ଥ ଦିଆଯାଇଛି କି ନାହିଁ ଜାଣିବାକୁ ଚାହିଁଥିଲେ ଓଏମ୍ସି କର୍ତ୍ତୃପକ୍ଷ।
ଉତ୍କଳ ବିଶ୍ୱବିଦ୍ୟାଳୟକୁ କୌଣସି ଅର୍ଥ ନଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଏମ୍ସି ପରିଚାଳନା ନିର୍ଦେଶକଙ୍କୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିବା ଉଚ୍ଚଶିକ୍ଷା ବିଭାଗ ଓଏମ୍ସିକୁ ଅବଗତ କରାଯାଇଛି। ବିଶ୍ୱବିଦ୍ୟାଳୟ ନିଜସ୍ୱ ପାଣ୍ଠିରେ ବିଭାଗର ଉନ୍ନତି କରିପାରିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।
ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ସହାୟତାର ହାତ ବଢ଼ାଉଛନ୍ତି। ବିଶ୍ୱବିଦ୍ୟାଳୟରେ ମହଜୁଦ ଥିବା ଅର୍ଥକୁ ବ୍ୟବହାର କରି ଭୂତତ୍ତ୍ୱ ବିଭାଗର ବିକାଶ ସହଜରେ କରାଯାଇପାରିବ। ଏବେ ବିଶ୍ୱବିଦ୍ୟାଳୟ ପାଖରେ ପ୍ରାୟ ୫ଶହ କୋଟି ଟଙ୍କା ମହଜୁଦ ରହିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓଏମ୍ସି କିମ୍ବା ଅନ୍ୟ କୌଣସି ସଂସ୍ଥା ନିକଟରେ ଆର୍ଥିକ ସହାୟତା ମାଗିବା ଠିକ୍ ନୁହେଁ। ସରକାର ଉତ୍କଳ ବିଶ୍ଵବିଦ୍ୟାଳୟର ଏହି ଆବେଦନକୁ ଅନୁମତି ବର୍ତ୍ତମାନ ଦେଇପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କୁ କୁହାଯାଇଛି।

