ଭୁବନେଶ୍ୱର :ସମ କର୍କଟ ବିଭାଗରେ ବିରଳ ଅସ୍ତ୍ରୋପୋଚାର । ମହିଳାଙ୍କ ପେଟରୁ ବାହାରିଲା ୧୦ କେଜି ଓଜନର ଟ୍ୟୁମର । ଏହି ଅପରେସନ କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲ ସର୍ଜନ ମାନେ । ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା ଓ ତାଙ୍କ ଟିମ୍ ଅପରେସନ କରିଥିଲେ ।
ଅସ୍ତ୍ରୋପଚାର କରାଯାଇଥିବା ୫୦ ବର୍ଷୀୟା ମହିଳା ଜଣକ ହେଉଛନ୍ତି କଳାହାଣ୍ଡି ଅଞ୍ଚଳର । ଦୀର୍ଘ ଦୁଇ ବର୍ଷ ଧରି ମହିଳାଙ୍କ ପେଟ ଅସ୍ୱଭାବିକ ଭାବେ ଫୁଲି ରହିଥିଲା । ସେ ଚଲାବୁଲା ମଧ୍ୟ କରିପାରୁନଥିଲେ ।ଅନେକ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ମହିଳା ଜଣକ ନିରାଶ ହୋଇଥିଲୋ ଶେଷରେ ସମ୍ ହସ୍ପିଟାଲରେ ପହଁଞ୍ଚି ଡାକ୍ତର ପଣ୍ଡାଙ୍କ ନିକଟରେ ସେ ଚିକିତ୍ସା ଆରମ୍ଭ କରିଥିଲେ । ଅନେକ ଚିକିତ୍ସା କରାଯିବା ପରେ ମହିଳା କର୍ଳଟ ରୋଗରେ ପୀଡିତ ଅଛନ୍ତି ବୋଲି ଜଣାପଡିଥିଲା । ମହିଳାଙ୍କ ତଳିପେଟରେ ଟ୍ୟୁମର ଥିବା ମଧ୍ୟ ଡାକ୍ତର ଜାଣିପାରିଥିଲେ ।
ଏହି ଟ୍ୟୁମର ମଧ୍ୟ ମହିଳାଙ୍କ ପେଟ ଭିତରେ ଅନ୍ୟ ଅଙ୍ଗ ସହ ଯୋଡି ହୋଇ ରହିଥିଲା । ଏହି ଟ୍ୟୁମରକୁ ଅନ୍ୟଅଙ୍ଗ ଠାରୁ ଅଲଗା କରି ଅପରେସନ କରିବା କଷ୍ଟକର ଥିଲା ବୋଲି ଡାକ୍ତର ପଣ୍ଡା କହିଛନ୍ତି । ଅତି ସତର୍କତାର ସହ ଆମ ଟିମ୍ ଏହି ଅପରେସନ କରିଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତିା ରୋଗୀ ଜଣକ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଡାକ୍ତର ପଣ୍ଡା କହିଛନ୍ତି ।
ଏହି ମହିଳା ଜଣକଙ୍କ ଅସ୍ତ୍ରୋପଚାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଥିଲା । ଏହି ଅସ୍ତ୍ରୋପଚାରରେ ଡାକ୍ତର ପଣ୍ଡା, ପ୍ରଫେସର ଶାଶ୍ୱତ ପଟ୍ଟନାୟକ ଓ ସର୍ଜିକାଲ ଅଙ୍କଲୋଜିଷ୍ଟ ବିଭାଗର ଡାକ୍ତର ସି. ପ୍ରଥମେଶ ଏବଂ ଡାକ୍ତର ବିକାଶ ପ୍ରମୁଖ ସାମିଲ ଥିଲେ । ସୂଚନା ଅନୁସାରେ ଆଗରୁ ମଧ୍ୟ ସମ୍ ହସ୍ପିଟାଲରେ ବହୁ ବିରଳ ଅସ୍ତ୍ରୋପଚାର କରାଯାଇଛି ।