ନୂଆଦିଲ୍ଲୀ: ଗୁପଚୁପର ଲୋଭ ଏଡାଇ ହେବନି । ପୁଣି ଦୁଇ ସାଙ୍ଗ ଏକାଠି ହୋଇ ଗୁପଚୁପ ଖାଇବାର ସ୍ୱାଦ ଆହୁରି ନିଆରା । ସେ ସାଧାରଣ ମଣିଷ ହୁଅନ୍ତୁ ବା ହୁଅନ୍ତୁ ହାଇ ପ୍ରୋଫାଇଲ ନେତା ! ସମସ୍ତଙ୍କୁ ଟାଣିଆଣେ ଗୁପଚୁପର ସ୍ୱାଦ । ଏଇ ଦେଖନ୍ତୁ କେମିତି ଏକାଠି ହୋଇ ଗୁପଚୁପ ଖାଉଛନ୍ତି ଦୁଇ ପ୍ରଧାନମନ୍ତ୍ରୀ ।
ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ଆଲୋଚନା ପରେ ଦୁଇ ପ୍ରଧାନମନ୍ତ୍ରୀ ଦିଲ୍ଲୀର ବୁଦ୍ଧ ପାର୍କ ବୁଲିବାକୁ ଯାଇଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କୁ ଭାରତର ପାରମ୍ପରିକ ଖାଦ୍ୟର ସ୍ୱାଦ ଚଖଇଥିଲେ । ତାଙ୍କୁ ଗୁପଚୁପ ବି ଖାଇବାକୁ ଦେଇଥିଲେ । ଏହା ପରେ ଦୁହେଁ ଲସି ଏବଂ ଆମ୍ବ ପଣାର ମଜା ବି ନେଇଥିଲେ ।
ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦ ତାଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଥିଲେ । କଦମ୍ବ କାଠରେ ନିର୍ମିତ ଏକ ଜାଲିବାକ୍ସରେ ଥିବା ଚନ୍ଦନକାଠରେ ନିର୍ମିତ ଏକ ବୁଦ୍ଧ ମୂର୍ତ୍ତି ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଆକାରରେ ଦେଇଥିଲେ ମୋଦି । ଏହି କଳାକୃତି କର୍ଣ୍ଣାଟକର ଏକ ସମୃଦ୍ଧ ଐତିହ୍ୟ ଓ ପରମ୍ପରାର ଏକ ପ୍ରତୀକ ।
ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। କ୍ରିଟିକାଲ ଟେକ୍ନୋଲଜି, ଡିଜିଟାଲ ଟେକ୍ନୋଲଜି, ଲଜିଷ୍ଟିକ, ଫୁଡ ପ୍ରେସସିଂ, ଷ୍ଟିଲ, ଏମଏସଏମଇ ପରି ପ୍ରସଙ୍ଗରେ ଦୁଇ ଦେଶର ସହଯୋଗୀତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଅବସରରେ ଆସନ୍ତା ମେ ମାସରେ ହିରୋସିମାରେ ଅନୁଷ୍ଠିତ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରିଥିଲେ କିଶିଦା ।
କିଶିଦାଙ୍କ ଗସ୍ତକୁ ନେଇ ମୋଦୀ କହିଛନ୍ତି, ଏହା ପୂର୍ବରୁ ସେ ଅନେକ ଥର କିଶିଦାଙ୍କୁ ଭେଟିଛନ୍ତି। ସେ ତାଙ୍କଠାରେ ଭାରତ ପ୍ରତି ସକାରାତ୍ମକ ଭାବ ଦେଖିଛନ୍ତି। ତାଙ୍କର ଏଥରର ଗସ୍ତ ଦୁଇ ଦେଶର ସମ୍ପର୍କ ବୃଦ୍ଧିରେ ସହାୟକ ହେବ। ଏଥିସହ ଜି୭ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରିଥିବାରୁ କିଶିଦାଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।